ନୂଆ ସଂସଦ ଭବନର ଉଦଘାଟନ୍ ନେଇ ତେଜିଲା ରାଜନୀତି । ପ୍ରଧାନମନ୍ତ୍ରୀଙ୍କ ବଦଳରେ ରାଷ୍ଟ୍ରପତି ଉଦଘାଟନ୍ କରିବାକୁ ରାହୁଲଙ୍କ ଦାବି ।
କନକ ବ୍ୟୁରୋ: ଆସନ୍ତା ୨୮ ତାରିଖରେ ଉଦଘାଟିତ ହେବାକୁ ଯାଉଛି ଦେଶର ନୂଆ ସଂସଦ ଭବନ । ପ୍ରଧାନମନ୍ତ୍ରୀ ମୋଦୀ ଏହି ଭବ୍ୟ ଭବନର ଉଦଘାଟନ କରିବେ । ତେବେ ସଂସଦ ଭବନର ଉଦଘାଟନକୁ ନେଇ ଏବେ ଆରମ୍ଭ ହୋଇଛି ରାଜନୀତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ ସରକାରକୁ ଘେରିଥିବାବେଳେ, ଏହି ଭବନର ଉଦଘାଟନ ରାଷ୍ଟ୍ରପତିଙ୍କ ଦ୍ୱାରା କରାଯାଉ ବୋଲି ଦାବି କରିଛନ୍ତି ।
ଗତ ମେ ୧୮ ତାରିଖରେ ଲୋକସଭା ସଚିବାଳୟ ଘୋଷଣା କରିଥିଲା ଯେ, ବାଚସ୍ପତି ଓମ ବିର୍ଲା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଛନ୍ତି । ଆଉ ନୂଆ ସଂସଦ ଭବନର ଉଦଘାଟନ କରିବାକୁ ତାଙ୍କୁ ନିମନ୍ତ୍ରଣ ଦେଇଛନ୍ତି । ତେବେ ଏହା ପରେ ବିରୋଧୀ ଦଳର ନେତାମାନେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିବାରେ ଲାଗିଛନ୍ତି । ରାହୁଲ ଗାନ୍ଧୀ ଟୁଇଟ୍ କରି ଲେଖିଛନ୍ତି, ନୂଆ ସଂସଦ ଭବନର ଉଦଘାଟନ ପ୍ରଧାନମନ୍ତ୍ରୀ ନୁହେଁ ବରଂ ରାଷ୍ଟ୍ରପତିଙ୍କ ଦ୍ୱାରା କରାଯିବା ଉଚିତ୍ ।
नए संसद भवन का उद्घाटन राष्ट्रपति जी को ही करना चाहिए, प्रधानमंत्री को नहीं!
— Rahul Gandhi (@RahulGandhi) May 21, 2023
ସେହିପରି ଏଆଇଏମଆଇଏମ୍ ନେତା ୱବୈସୀ କହିଛନ୍ତି, ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ କଣ ପାଇଁ ଲୋକସଭାର ଅଧ୍ୟକ୍ଷ କିମ୍ବା ରାଜ୍ୟସଭାର ଅଧ୍ୟକ୍ଷ ଚୟନ କରାଗଲା ନାହିଁ ? ସେ ଟୁଇଟ୍ କରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ସଂସଦର ଉଦଘାଟନ କାହିଁକି କରିବେ?ସେ କାର୍ଯ୍ୟପାଳିକାର ପ୍ରମୁଖ ଅଟନ୍ତି । ହେଲେ ଏହାର ଉଦଘାଟନ ରାଜ୍ୟସଭା କିମ୍ବା ଲୋକସଭାର ଅଧ୍ୟକ୍ଷଙ୍କ ଦ୍ୱାରା ହେବା ଉଚିତ୍ ।
Why should PM inaugurate Parliament? He is head of the executive, not legislature. We have separation of powers & Hon’ble @loksabhaspeaker & RS Chair could have inaugurated. It’s made with public money, why is PM behaving like his “friends” have sponsored it from their private… https://t.co/XmnGfYFh6u
— Asaduddin Owaisi (@asadowaisi) May 19, 2023
ଖାଲି ରାହୁଲ ଆଉ ଏଆଇଏମଆଇଏମ୍ ନେତା ନୁହଁନ୍ତି, ତୃଣମୂଳ ସାଂସଦ ସୁଖେନ୍ଦୁ ଶେଖର ମଧ୍ୟ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ନୂଆ ସଂସଦ ଭବନର ଉଦଘାଟନ ବୀର ସଭରକରଙ୍କ ଜୟନ୍ତୀ ସହ ମେଳ ଖାଉଛି । ତେଣୁ ଏହି ତାରିଖରେ ଏହି ଭବନର ଉଦଘାଟନ ନକରାଯାଇ, ଜାନୁଆରୀ ୨୬ ତାରିଖରେ ଏହି ଭବ୍ୟ ଭବନର ଉଦଘାଟନ କରାଯାଉ । ସୂଚନାଯୋଗ୍ୟ ଯେ, ନୂଆ ସଂସଦ ଭବନର ଆଧାରଶିଳା ୨୦୨୦ ମସିହା ଡିସେମ୍ବର ୧୦ ତାରିଖରେ ରଖାଯାଇଥିଲା । ଏହି ସଂସଦ ଭବନର ସଂଯୁକ୍ତ ଗୃହରେ ମୋଟ ୧୨୮୦ ଜଣ ସାଂସଦ ଏକାଠି ବସିପାରିବେ ।