ଉପ-ରାଷ୍ଟ୍ରପତିଙ୍କୁ ଅପମାନ, ରାଷ୍ଟ୍ରପତିଙ୍କ ନିନ୍ଦା । ପ୍ରଧାନମନ୍ତ୍ରୀ ଫୋନରେ କହିଲେ, ୨୦ ବର୍ଷ ହେବ ମୁଁ ବି ସହୁଛି ଏମିତି ଅପମାନ ।

2,575

କନକ ବ୍ୟୁରୋ : ଉପରାଷ୍ଟ୍ରପତିଙ୍କୁ ଅପମାନ, ରାଷ୍ଟ୍ରପତିଙ୍କ ନିନ୍ଦା । ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ତାଙ୍କ ମିମିକ୍ରି କରି ଅପମାନ କରିଛନ୍ତି କିଛି ବିରୋଧୀ ସାଂସଦ । ଯାହାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମଲୋଚନା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବୟାନ ଆସିଛି । ଘଟଣାକୁ ନିନ୍ଦା କରିବା ସହ ରାଷ୍ଟ୍ରପତି କହିଛନ୍ତି, ସଂସଦ ଭବନରେ ସମ୍ମାନନୀୟ ଉପରାଷ୍ଟ୍ରପତିଙ୍କୁ ଯେଉଁଭଳି ଭାବେ ଅପମାନିତ କରାଯାଇଛି ତାହା ଗ୍ରହଣୀୟ ନୁହେଁ । ନିର୍ବାଚିତ ପ୍ରତିନିଧିଙ୍କ କହିବାର ସ୍ୱାଧୀନତା ଅଛି । କିନ୍ତୁ ତାହା ଶାଳୀନତା ଭିତରେ ରହିବା ଆବଶ୍ୟକ । ଶାଳୀନତା ମଧ୍ୟରେ ନିଜର ମତବ୍ୟକ୍ତ କରିବା ଆମ ସଂସଦୀୟ ପରମ୍ପରାର ଗର୍ବ ଏବଂ ଦେଶବାସୀ ନିର୍ବାଚିତ ପ୍ରତିନିଧିଙ୍କ ଠାରୁ ଏହା ଆଶା ରଖନ୍ତି ।

ଏହି ଘଟଣାକୁ ନେଇ ଉପ-ରାଷ୍ଟ୍ରପତି ଜଗଦୀପ ଧନଖଡ ନିଜ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରିବା ସହ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ଫୋନ୍ କରି ଏହି ଘଟଣାରେ ଦୁଃଖପ୍ରକାଶ କରିଛନ୍ତି । ୨୦ ବର୍ଷ ହେବ ମୁଁ ମଧ୍ୟ ଏଭଳି ଅପମାନ ସହୁଥିବା ନେଇ ଫୋନରେ କହିଛନ୍ତି ପ୍ରଧାନମନ୍ତ୍ରୀ । କୌଣସି ଅପମାନ ମୋତେ ସତ୍ୟପଥରୁ ବିଚ୍ୟୁତ କରିପାରିବନି ବୋଲି ଉଲ୍ଲେଖ କରିଛନ୍ତି ଉପ-ରାଷ୍ଟ୍ରପତି ।