ସ୍ୱତନ୍ତ୍ର ରେଳ ଯୋଗେ ଅଯୋଧ୍ୟା ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ରାମାୟଣ କନକ୍ଲେଭକୁ କରିବେ ଉଦଘାଟନ

122

କନକ ବ୍ୟୁରୋ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚଳିତ ମାସ ୨୬ ତାରିଖରେ ସ୍ୱତନ୍ତ୍ର ରେଳ ଯୋଗେ ଅଯୋଧ୍ୟା ଗସ୍ତ କରିବେ ବୋଲି କୁହାଯାଇଛି । ସେଠାରେ ସେ ପହଂଚିବା ପରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିବେ । ଏହାସହ ସେ ଉତ୍ତରପ୍ରଦେଶରେ ରାମାୟଣ କନକ୍ଲେଭକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଆନନ୍ଦିବେନ ପଟେଲ ବି ମହାମହିମ ରାଷ୍ଟ୍ରପତିଙ୍କ ସହ ରହିବେ ବୋଲି କୁହାଯାଇଛି । ଏନେଇ ରେଳ ବିଭାଗ ଓ ସ୍ଥାନୀୟ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପ୍ରସ୍ତୁତି ପୂର୍ବରୁ ଜିଲ୍ଲା ଅଧିକାରୀ, ଅଯୋଧ୍ୟା ଆଇଜି ଜୋନ, ବରିଷ୍ଠ ପୋଲିସ ଅଧିକାରୀ ଓ ରେଳ ବିଭାଗର ମହାପ୍ରବନ୍ଧକ ଆଶୁତୋଷ ଗଙ୍ଗଲଙ୍କ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ୧ ଘଂଟା ଧରି ଏକ ରୁଦ୍ଧଦ୍ୱାର ବୈଠକ କରିଛନ୍ତି ।

କହିରଖୁ କି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଛି । ଅନ୍ୟପଟେ ଏକ ଅସ୍ଥାୟୀ ଟେଣ୍ଟରେ ପୂଜା ପାଉଛନ୍ତି ପ୍ରଭୁ ଶ୍ରୀରାମ । ରାଷ୍ଟ୍ରପତି ତାଙ୍କ ଗସ୍ତବେଳେ ସେହି ଅସ୍ଥାୟୀ ଟେଣ୍ଟରେ ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚ୍ଚନା କରିବେ ।

ଅନ୍ୟପଟେ ରାଷ୍ଟ୍ରପତିଙ୍କୁ ଅଯୋଧ୍ୟାରେ ଭବ୍ୟ ସ୍ୱାଗତ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଅଯୋଧ୍ୟା ସନ୍ଥ ସମାଜ ପକ୍ଷରୁ ରାମ କଥା ପାର୍କ ଠାରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରାଯିବ । ଏହାସହ ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ପକ୍ଷରୁ ରାଷ୍ଟ୍ରପତିଙ୍କ ମନ୍ଦିର ନିର୍ମାଣର ସମସ୍ତ ସୂଚନା ପ୍ରଦାନ କରାଯିବ ବୋଲି କୁହାଯାଇଛି ।  ରାଷ୍ଟ୍ରପତି ଅଗଷ୍ଟ ୨୬ ତାରିଖରେ ଲକ୍ଷ୍ନୌ ଠାରେ ପହଂଚିବେ । ସେଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି ।