ସମର୍ପଣ ନିଧି ସଂଗ୍ରହ ଅଭିଯାନରେ ସାମିଲ ହେଲେ ରାଷ୍ଟ୍ରପତି । ଦାନ କଲେ ଲକ୍ଷେ ଟଙ୍କା, ମହାପ୍ରଭୁଙ୍କ ସେବା କରିବାର ସୁଯୋଗ ପାଇଲେ ରାମନାଥ କୋବିନ୍ଦ  ।

74

କନକ ବ୍ୟୁରୋ : ‘ସମର୍ପଣ ନିଧି ଅଭିଯାନ’ରେ ସାମିଲ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସମର୍ପଣ ନିଧି ଅଭିଯାନରେ ଶ୍ରୀମନ୍ଦିରର ବିକାଶ ପାଇଁ ନିଜ ଦରମାରୁ ଲକ୍ଷେ ଟଙ୍କା ଦାନ କରିଛନ୍ତି ରାଷ୍ଟ୍ରପତି ।ଆଉ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମିଳିଥିବା ସୂଚନା ମୁତାବକ, ଦେଶର ପ୍ରଥମ ବ୍ୟକ୍ତିଙ୍କୁ ଏହି ସମର୍ପଣ ନିଧି ବାବଦରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅବଗତ କରାଇଥିଲେ । ଆଉ ଧର୍ମେନ୍ଦ୍ରଙ୍କ ଠାରୁ ଏ ବାବଦରେ ଜାଣିବା ପରେ ମହାପ୍ରଭୁଙ୍କ ସେବା କରିବାର ସୁଯୋଗକୁ ହାତଛଡା କରିନଥିଲେ ରାମନାଥ କୋବିନ୍ଦ । ଅର୍ଥ ଦାନ ସ୍ୱରୂପ ଲକ୍ଷେ ଟଙ୍କା ଦାନ କରି ଏହି ଶ୍ରୀମନ୍ଦିରର ବିକାଶ ଧାରାରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି ।

ଏହାପୂର୍ବରୁ ରାଜ୍ୟ ସରକାର ବଡଦେଉଳର ବିକାଶ ପାଇଁ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଆରମ୍ଭ କରିଥିଲେ । ସେତେବେଳେ ଧର୍ମେନ୍ଦ୍ର ମଧ୍ୟ ଶ୍ରୀଜିଉଙ୍କ ଦର୍ଶନ ସହ ବଡଦେଉଳର ବିକାଶ ପାଇଁ ଲକ୍ଷେ ଟଙ୍କା ଦାନ କରିଥିଲେ । ଏହାସହ ସାଢେ ୪ କୋଟି ଓଡ଼ିଆଙ୍କୁ ମହାପ୍ରଭୁଙ୍କ ସେବା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଉଭୟ ଶ୍ରମ ଓ ଅର୍ଥଦାନ ମାଧ୍ୟମରେ ହିନ୍ଦୁ ସମାଜକୁ ମହାପ୍ରଭୁଙ୍କ ସେବାରେ ସାମିଲ କରିବାକୁ ସମର୍ପଣ ନିଧି ସଂଗ୍ରହ ଅଭିଯାନ ଭଳି ଏକ ବ୍ୟବସ୍ଥା ତିଆରି କରିବାକୁ ପୁରୀ ଗଜପତି ମହାରାଜାଙ୍କୁ ଚିଠି ଲେଖି ସହଯୋଗ ଲୋଡିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଗଜପତି ମହାରାଜଙ୍କୁ ଲେଖିଥିବା ଚିଠିରେ ଧର୍ମେନ୍ଦ୍ର ଦର୍ଶାଇଥିଲେ ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ ଲୋକଙ୍କ ଦେବତା । ପ୍ରତି ବ୍ୟକ୍ତିର ହୃଦୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବିରାଜମାନ । ତେଣୁ ସମଗ୍ର ହିନ୍ଦୁ ସମାଜ ସହ ସାଢେ ୪ କୋଟି ଓଡ଼ିଆଙ୍କ ମନରେ ମହାପ୍ରଭୁଙ୍କ କାମରେ ସହଯୋଗ କରିବା ନେଇ ପ୍ରବଳ ଉତ୍ସାହ ରହିଛି । ତେଣୁ ସମର୍ପଣ ନିଧି ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବା ସହ ଲୋକଙ୍କୁ ଏଥିରେ ସାମିଲ କରିବାକୁ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଅନୁରୋଧ କରିଥିଲେ । ଆଉ ପୁରୀ ଗଜପତିଙ୍କ ପକ୍ଷରୁ ମଧ୍ୟ ସହଯୋଗ ପାଇଁ ସବୁଜ ସଂକେତ ମିଳିଥିଲା ।

ଏହାପରେ ସମର୍ପଣ ନିଧି ସଂଗ୍ରହ ଅଭିଯାନକୁ ଆଉ ଦୁଇ ପାଦେ ଆଗେଇ ନେବାକୁ ବିଶ୍ୱ ଓଡ଼ିଆ ସମୁଦାୟଙ୍କ ସହ ଆଲୋଚନା କରିଥିଲେ ଉଭୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଗଜପତି ମହାରାଜା ଦିବ୍ୟସିଂହ ଦେବ । ବିଶ୍ୱର କୋଣ ଅନୁକୋଣରେ ୩୦ରୁ ଅଧିକ ଦେଶରେ ରହୁଥିବା ଓଡ଼ିଆ ଲୋକଙ୍କ ସହ ସମର୍ପଣ ନିଧି ସଂଗ୍ରହ ଅଭିଯାନ ବାବଦରେ ଆଲୋଚନା କରାଯିବା ସହ ଏଥିରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଥିଲା । ଏପରିକି ଶ୍ରୀମନ୍ଦିର ସୁରକ୍ଷା ଓ ବିକାଶ ପାଇଁ ଆମ ସମସ୍ତଙ୍କୁ ଦାୟିତ୍ୱ ନେବାକୁ ପଡିବ ବୋଲି କୁହାଯାଇଥିଲା ।

ଆଉ ଏସବୁ ଭିତରେ ଆଜି ରାଷ୍ଟ୍ରପତିଙ୍କୁ ଏ ବାବଦରେ ଅବଗତ କରି ସମର୍ପଣ ନିଧି ସଂଗ୍ରହ ଅଭିଯାନରେ ସାମିଲ କରାଯାଇଛି । ଆଉ ଏହାପଛରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚ୍ଛନ୍ନ ହାତ ଥିବା କୁହାଯାଉଛି । ତେବେ ପୂର୍ବରୁ ଏହାକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଧର୍ମେନ୍ଦ୍ର ଆହ୍ୱାନ ଦେଇଥିବା ବେଳେ ବିଜେପି ଏହାକୁ ପ୍ରତିଟି ରାଜ୍ୟବାସୀଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରିବ ବୋଲି ଚର୍ଚ୍ଚା ହେଉଛି ।