ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ, ‘ସମର୍ପଣ ନିଧି’କୁ ଲକ୍ଷେ ଟଙ୍କା ଦାନ କଲେ ରାଷ୍ଟ୍ରପତି । 

95

କନକ ବ୍ୟୁରୋ : ମହାପ୍ରଭୁଙ୍କ ଦର୍ଶନ କରିବା ପରେ ‘ସମର୍ପଣ ନିଧି’କୁ ଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ନିଜ ଦରମାରୁ ୧ ଲକ୍ଷ ଟଙ୍କା ଦାନ କରିଛନ୍ତି ରାଷ୍ଟ୍ରପତି । ଶ୍ରୀମନ୍ଦିର ପ୍ରଶାସକଙ୍କୁ ଏନେଇ ଚେକ୍ ଆକାରରେ ନିଜ ଦାନ ଅର୍ଥ ପ୍ରଦାନ କରିଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀମନ୍ଦିରର ବିକାଶ ପାଇଁ ‘ସମର୍ପଣ ନିଧି ସଂଗ୍ରହ’ର ଆରମ୍ଭ କରାଯାଇଥିଲା । ମହାପ୍ରଭୁଙ୍କ ସେବା କରିବାକୁ ଚାହୁଁଥିବା ପ୍ରତିଟି ବ୍ୟକ୍ତିଙ୍କୁ ସାମିଲ ହେବାକୁ ପୂର୍ବରୁ ଆହ୍ୱାନ ଦିଆଯାଇଥିଲା । ଆଉ ଆଜି ଏହି ଅଭିଯାନରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି ।ଏହାଛଡା ଆଜି ରାଷ୍ଟ୍ରପତିଙ୍କ ନାଁରେ ଏକ ଧ୍ୱଜା ବନ୍ଧା ରସିଦ ମଧ୍ୟ କଟାଯାଇଛି । ଯେଉଁ ଧ୍ୱଜାକୁ ଆଜି ନୀଳଚକ୍ରରେ ବନ୍ଧାଯିବ ।

ଏହାପୂର୍ବରୁ ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗର୍ଭଗୃହରେ ଦର୍ଶନ କରିବା ସହିତ ଭିତରେ ବେଢାରେ ଥିବା ପାଶ୍ୱର୍ ଦେବାଦେବୀଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପତ୍ନୀ ତଥା ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ । ଉଭୟଙ୍କୁ କୌଳିକ ସେବାୟତମାନେ ପାଛୋଟି ନେଇଥିଲେ ଶ୍ରୀମନ୍ଦିରକୁ ଓ ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ କରାଇଥିଲେ । ରାଷ୍ଟ୍ରପତିଙ୍କ କାରକେଡ ଶ୍ରୀମନ୍ଦିର ସମ୍ମୁଖରେ ପହଂଚିବା ପରେ ସିଂହଦ୍ୱାର ଆଗରେ ତାଙ୍କୁ ସ୍ୱାଗତ କରିଥିଲେ ପୁରୀ ମହାରାଜ ଗଜପତି ଦିବ୍ୟସିଂହ ଦେବ । ଏହାପରେ ଶ୍ରୀମନ୍ଦିର ସମ୍ମୁଖରେ ଥିବା ଅସ୍ଥାୟୀ ବିଶ୍ରାମଗାରରେ କିଛି ସମୟ ପାଇଁ ବିଶ୍ରାମ ନେଇଥିଲେ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ । ରାଷ୍ଟ୍ରପତିଙ୍କ ସହ ଉପସ୍ଥିତ ଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ. କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୁରୀ ଓ ବ୍ରହ୍ମଗିରିର ବିଧାୟକ ।

ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀନମନ୍ଦିର ପ୍ରଶାସନ ପ କ୍ଷରୁ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ବ୍ୟପକ ବନ୍ଦୋବସ୍ତ କରାଯାଇଥିଲା । ତ୍ରିସ୍ତରୀୟ ସୁରକ୍ଷା ଭିତରେ ରାଷ୍ଟ୍ରପତି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ବାୟୁସେନାର ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଂଚିବା ପରେ ସେଠାରେ କାର ଯୋଗେ କଡ଼ା ସୁରକ୍ଷାରେ ଶ୍ରୀମନ୍ଦିର ପହଞ୍ଚିଥିଲେ ରାମନାଥ କୋବିନ୍ଦ । ପୁରୀ ଶ୍ରୀମନ୍ଦିର ଦର୍ଶନ ସାରି ରାଷ୍ଟ୍ରପତି କୋଣାର୍କ ସୂର୍ଯ୍ୟ ମନ୍ଦିର ଦର୍ଶନ କରିବା ପାଇଁ କୋଣାର୍କ ଗସ୍ତ କରିଛନ୍ତି ।