ଭୋଟ ଦେଲେ ଦେଶର ପ୍ରଥମ ନାଗରିକ । ପତ୍ନୀଙ୍କ ସହ ଆସି ସ୍ୱତନ୍ତ୍ର ମତଦାନ କେନ୍ଦ୍ରରେ ଭୋଟ ଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

145

କନକ ବ୍ୟୁରୋ : ଭୋଟ ଦେଲେ ଦେଶର ପ୍ରଥମ ନାଗରିକ । ଗଣତନ୍ତ୍ରର ମହାପର୍ବରେ ନିଜକୁ ସାମିଲ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଷଷ୍ଠ ପର୍ଯ୍ୟାୟ ହେଉଥିବା ନିର୍ବାଚନରେ ମତଦାନ କରିବା ସହ ନେତା ବାଛିଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ଭବନରେ ହୋଇଥିବା ସ୍ୱତନ୍ତ୍ର ମତଦାନ କେନ୍ଦ୍ରରେ ନିଜ ପତ୍ନୀଙ୍କ ସହ ଆସି ଭୋଟ ଦେଇଛନ୍ତି ରାଷ୍ଟ୍ରପତି ।

ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ସାଧାରଣ ନିର୍ବାଚନରେ ମତଦାନ କରିଛନ୍ତି ରାମନାଥ କୋବିନ୍ଦ । ଏହାପୁର୍ବରୁ ରାଷ୍ଟ୍ରପତି ଥିବା ପ୍ରଣବ ମୁର୍ଖାଜୀ ଗଣତନ୍ତ୍ରର ଏହି ମହାପର୍ବରେ ନିଜକୁ ସାମିଲ କରିନଥିଲେ । ୧୯୯୮ରେ ପ୍ରଥମ ଥର ପାଇଁ ପୂର୍ବତନ ରାଷ୍ଟ୍ରପତି କେ ଆର ନାରାୟଣନ ପଦରେ ରହିବା ସହ ଭୋଟ ଦେଇଥିଲେ । ସାଧାରଣ ଲୋକଙ୍କ ଭଳି ଧାଡିରେ ଛିଡା ହୋଇ ଭୋଟ ଦେଇଥିଲେ କେ ଆର ନାରାୟଣ । ତାଙ୍କ ପରେ ରାଷ୍ଟ୍ରପତି ହୋଇଥିବା ଏପିଜେ ଅବଦୁଲ କଲାମ ଓ ପ୍ରତିଭା ପାଟିଲ ମଧ୍ୟ ପଦରେ ରହିବା ସହ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ । ସେତେବେଳେ ମଧ୍ୟ ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ମତଦାନ କେନ୍ଦ୍ର ହୋଇଥିଲା ।

ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଭୋଟଗ୍ରହଣ ହେଉଥିବା ବେଳେ ଅନେକ ହେଭିୱେଟ ନେତା ଓ ଜଣାଶୁଣା ଚେହେରାଙ୍କୁ ମତଦାନ କେନ୍ଦ୍ରରେ ଦେଖିବାକୁ ମିଳିଛି । ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇଥିବା ବେଳେ ପୂର୍ବତନ ଉପରାଷ୍ଟ୍ରପତି ହମିଦ ଆନସାରୀ, ଭୋପାଳ ଆସନରୁ ବିଜେପିର ପ୍ରାର୍ଥୀ ହୋଇଥିବା ସ୍ୱାଧୀ ପ୍ରଜ୍ଞା, ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ଉତ୍ତର-ପୂର୍ବ ଦିଲ୍ଲୀରୁ ବିଜେପିର ପ୍ରାର୍ଥୀ ହୋଇଥିବା ମନୋଜ ତିୱାରୀ ମଧ୍ୟ ଭୋଟ ଦେଉଥିବାର ଦେଖିବାକୁ ମିଳିଛି ।