କନକ ବ୍ୟୁରୋ : ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।୨୦ତାରିଖ ଦିନ ୧୦.୪୦ରେ ପୁରୀସ୍ଥିତ ଗୌଡିଆ ମିସନ ପ୍ରତିଷ୍ଠାତା ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମବାର୍ଷିକି ସମାରୋହରେ ଯୋଗଦେବେ। ଆସନ୍ତାକାଲି ମଧ୍ୟାହ୍ନ ୧୨.୨୫ ମିନିଟରେ ଦିଲ୍ଲୀ ବିମାନ ବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ବାହାରିବେ ରାଷ୍ଟ୍ରପତି। ଭୁବନେଶ୍ୱର ବିମାନ ବନ୍ଦରରେ ୨.୨୫ରେ ପହଞ୍ଚିବେ।
ଭୁବନେଶ୍ୱର ବିମାନ ବନ୍ଦରରୁ ହେଲିକପ୍ଟର ଯୋଗେ ବାହାରି ୩.୨୫ରେ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବେ। ୫ଟାରୁ ୫.୪୫ରେ ଶ୍ରୀମନ୍ଦିରକୁ ଯିବା ସହ ମହାପ୍ରଭୁଙ୍କୁ ଦର୍ଶନ କରିବେ। ୨୦ ତାରିଖ ଦିନ ୪ଟା ୪୦ ମିନିଟ ଓଡ଼ିଶା ଛାଡିବେ ରାଷ୍ଟ୍ରପତି । ଏନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ହେଲିପ୍ୟାଡ, ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ କଡାକଡି ଯାଞ୍ଚ କରାଯାଇଛି ।