ଟ୍ରେନରେ କାନପୁର ଯିବେ ରାଷ୍ଟ୍ରପତି । ବୁଲେଟପ୍ରୁଫ୍ ବଗିରେ ଏମିତି ହେବ ସୁରକ୍ଷା ବ୍ୟବସ୍ଥା ।

418

କନକ ବ୍ୟୁରୋ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ୱତନ୍ତ୍ର ଟ୍ରେନରେ ଦିଲ୍ଲୀରୁ କାନପୁର ଯାତ୍ରା କରିବେ । ଉତ୍ତରପ୍ରଦେଶରେ ନିଜ ଜନ୍ମ ସ୍ଥାନକୁ ଗସ୍ତ କରିବା ପାଇଁ ଟ୍ରେନରେ ଯିବେ ରାଷ୍ଟ୍ରପତି । ମହାମହିମ ରାଷ୍ଟ୍ରପତି ଯେଉଁ ଟ୍ରେନରେ ଯିବେ, ତାହା ପ୍ରେସିଡେନ୍ସିଆଲ୍ ଟ୍ରେନ୍ ଅଟେ । ଏହି ଟ୍ରେନର ସୁରକ୍ଷା ପାଇଁ କଡା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ତଥା ଏନଏସଜି କମାଣ୍ଡୋଙ୍କ ସୁରକ୍ଷାରେ ଏହି ଟ୍ରେନଟି ଦିଲ୍ଲୀରୁ କାନପୁର ଯିବ । ରାଷ୍ଟ୍ରପତିଙ୍କ ଏହି ଯାତ୍ରା ୫ ଘଣ୍ଟା ୩୦ ମିନିଟର ରହିବ । ତେବେ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ନେଇ ମକଡ୍ରିଲ କରାଯାଇଛି । ବିଭିନ୍ନ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଏହି ପ୍ରେସିଡେନ୍ସିଆଲ୍ ଟ୍ରେନରେ ଦୁଇଟି ସ୍ପେଶାଲ ବଗି ଲଗାଯାଇଛି । ସୁରକ୍ଷାକୁ ନଜରରେ ରଖି ଟ୍ରେନର ଆଗରେ ଏକ ଖାଲି ଇଞ୍ଜିନ ପ୍ରଥମେ ଯିବ । ରେଲୱେ ଲାଇନର ଉଭୟ କଡରେ ପୋଲିସର କଡା ପହରା ରହିବ । ଏହି ଟ୍ରେନଟି ଶୁକ୍ରବାର ଦିନ ଅର୍ଥାତ ଆସନ୍ତାକାଲି ଦିନ ୧ଟା ୩୦ ମିନିଟରେ ଦିଲ୍ଲୀରୁ ଛାଡିବ ଏବଂ ସନ୍ଧ୍ୟା ୭ଟା ସମୟରେ କାନପୁରରେ ପହଞ୍ଚିବ । ଦୁଇ ଦିନର କାର୍ଯ୍ୟକ୍ରମ ପରେ ପୁଣି ଏହି ଟ୍ରେନରେ ଦିଲ୍ଲୀ ଫେରିବେ ରାଷ୍ଟ୍ରପତି ।