ଆସନ୍ତା ୨୨ ତାରିଖରେ ପୁରୀ ଆସିବେ ରାଷ୍ଟ୍ରପତି : ଆଜି ଶ୍ରୀମନ୍ଦିରରେ ସୁରକ୍ଷା ଯାଂଚ କଲା ପୋଲିସ ପ୍ରଶାସନ

 କୋଭିଡ୍ ନେଗେଟିଭ୍ ଥିବା ସେବାୟତ ରହିବେ ରାଷ୍ଟ୍ରପତିଙ୍କ ସାଥିରେ

74

କନକ ବ୍ୟୁରୋ : ଆସନ୍ତା ୨୨ ତାରିଖରେ ପୁରୀ ଶ୍ରୀମନ୍ଦିର ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଆଜି ଶ୍ରୀମନ୍ଦିର ଚାରିପଟ ଓ ଶ୍ରୀମନ୍ଦିର ଭିତରର ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି ପୁରୀ ଏସପି । ଆସନ୍ତା ୨୨ ତାରିଖ ଦିନ ରାଷ୍ଟ୍ରପତି ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୧ଟା ମଧ୍ୟରେ ପୁରୀ ଶ୍ରୀମନ୍ଦିର ଆସି ଦର୍ଶନ କରିବା ଆପାତତଃ ସ୍ଥିର ହୋଇଛି । ରାଷ୍ଟ୍ରପତି ରତ୍ନ ସିଂହାସନ ନିକଟକୁ ଯାଇ ଦର୍ଶନ କରିବା ନେଇ ବ୍ୟବସ୍ଥା ହୋଇଛି ।

ରାଷ୍ଟ୍ରପତିଙ୍କ ସାଙ୍ଗରେ ଯିବାକୁ ଥିବା ସମସ୍ତ ଅନୁଗାମୀ, ଅଧିକାରୀ ଓ ସେବାୟତଙ୍କର କୋଭିଡ ଟେଷ୍ଟ କରାଯିବ । କେବଳ କୋଭିଡ୍ ନେଗେଟିଭ୍ ରିପୋର୍ଟ ଆସିଥିବା ସେବାୟତ ଓ ଅଧିକାରୀଙ୍କୁ ରାଷ୍ଟ୍ରପତିଙ୍କ ସହିତ ଯାଇ ଦର୍ଶନ କରିବାକୁ ଦିଆଯିବ ବୋଲି କୁହାଯାଇଛି । ୨୦୧୮ ମସିହା ମାର୍ଚ୍ଚ ୧୮ ତାରିଖରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଏହା ତାଙ୍କର ଦ୍ୱିତୀୟ ଗସ୍ତ ରହିବ । ଆଜିର ସୁରକ୍ଷା ବ୍ୟବସ୍ଥା ତଦାରଖ ସମୟରେ ସମସ୍ତ ଥାନା ଅଧିକାରୀ ଓ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଉପସ୍ଥିତ ରହିଥିଲେ ।