ଆଜି ୨ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟପତି : ସଂଧ୍ୟା ୬ଟାରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଂଚିବେ 

100

କନକ ବ୍ୟୁରୋ : ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି ରାଷ୍ଟପତି ରାମନାଥ କୋବିନ୍ଦ । ଆଜି ସଂଧ୍ୟା ୬ଟାରେ ଭୁବନେଶ୍ୱର  ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ପହଂଚିବେ ରାଷ୍ଟ୍ରପତି । ଏହି ଗସ୍ତ ଅବସରରେ ରାଉରକେଲାର ଏନଆଇଟି ସମାବର୍ତନ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି  । ପୁରୀ ଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର ଯିବାର କାର୍ଯ୍ୟକ୍ରମ ରହିଛି । ରାଜଭବନରେ ରହିବାର କାର୍ଯ୍ୟକ୍ରମ ମଧ୍ୟ ରାଷ୍ଟ୍ରପତିଙ୍କର ରହିଛି  ।

ପୂର୍ବାହ୍ନ ୧୦ଟା ୪୫ରେ ପହଞ୍ଚିବେ
ଆସନ୍ତା ୨୧ ତାରିଖ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂଆ ଦିଲ୍ଲୀରୁ ବାହାରି ଭୁବନେଶ୍ବର ରାଜଭବନରେ ପହଞ୍ଚିବେ। ସେଠାରୁ ସକାଳ ୯ଟାରୁ ସ୍ବତନ୍ତ୍ର ବିମାନରେ ଝାରସୁଗୁଡ଼ା ଏୟାରପୋର୍ଟରେ ପହଞ୍ଚିବେ। ପରେ ଝାରସୁଗୁଡ଼ାରୁ ଅନ୍ୟ ଏକ ବିମାନରେ ଆସି ଦିନ ୧୦ଟା ୪୫ ମିନିଟ୍‌ରେ ରାଉରକେଲା ଏୟାରଷ୍ଟ୍ରିପ୍‌ରେ ପହଞ୍ଚିବେ। ସେଠାରୁ ସିଧାସଳଖ ଏନ୍‌ଆଇଟି ସମାବର୍ତ୍ତନ ଉତ୍ସବକୁ ଯିବେ। ଏନ୍‌ଆଇଟିରେ ପୂର୍ବାହ୍ନ ୧୧ଟାରୁ ୧୨ଟା ଯାଏଁ ରହିବାପରେ ‘ରାଉରକେଲା ହାଉସ୍‌’କୁ ଆସି ମଧ୍ୟାହ୍ନ ଭୋଜନ ଗ୍ରହଣ କରିବେ। ରାଉରକେଲା ହାଉସ୍‌ରେ କିଛି ସମୟ ବିଶ୍ରାମ ନେବାପରେ, ଅପରାହ୍ନ ଠିକ୍‌ ସାଢ଼େ ୩ଟାରେ ଆଇଜିଏଚ୍‌ ସୁପରସ୍ପେଶିଆଲିଟି ହସପିଟାଲର ଲୋକାର୍ପଣ ଉତ୍ସବରେ ଯୋଗଦେବେ। ଅପରାହ୍ନ ୪ଟା ୪୦ ମିନିଟ୍‌ରେ ରାଉରକେଲା ଏୟାରଷ୍ଟ୍ରିପ୍‌ରୁ ଝାରସୁଗୁଡ଼ା ଦେଇ ଫେରିବାର କାର୍ଯ୍ୟକ୍ରମ ରହିଛି।

ସାଙ୍ଗରେ ଆସିବେ ଇସ୍ପାତ ମନ୍ତ୍ରୀ
ରାଷ୍ଟ୍ରପତିଙ୍କ ସହ ବିମାନରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଉରକେଲା ଆସିବେ। ଶ୍ରୀ ପ୍ରଧାନ ରାଷ୍ଟ୍ରପତିଙ୍କ ବିମାନରେ। ଏତଦ୍‌ବ୍ୟତୀତ ରାଷ୍ଟ୍ରପତିଙ୍କ ସହିତ ୪୫ ଜଣ ବ୍ୟକ୍ତିଗତ ସହାୟକ, ସୁରକ୍ଷା ଅଧିକାରୀ, ମେଡିକାଲ ଷ୍ଟାଫ୍‌, କର୍ମଚାରୀ ରହିବେ। ରାଷ୍ଟ୍ରପତି ରାଉରକେଲା ହାଉସ୍‌ରେ ବିଶ୍ରାମ ନେବେ। ତେବେ ଅନ୍ୟ ଅଧିକାରୀମାନଙ୍କୁ ଅନ୍ୟ ସ୍ଥାନରେ ରଖାଯିବ।

‘ରାଉରକେଲା ହାଉସ୍‌’ ରୁମ୍‌ ନଂ-୧‌ରେ ବିଶ୍ରାମ ନେବେ
ବିଭିନ୍ନ ସମୟରେ ରାଉରକେଲାକୁ ଭିଭିଆଇପିଙ୍କ ଆଗମନ ଲାଗିରହିଥାଏ। ଇସ୍ପାତ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସେଲ୍‌ କର୍ତୃପକ୍ଷ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବରିଷ୍ଠ ଆଇଏଏସ୍‌ ଅଧିକାରୀ ରାଉରକେଲା ଗସ୍ତବେଳେ ରାଉରକେଲା ହାଉସ୍‌ର ରୁମ୍‌-୧ରେ ରହିଥାନ୍ତି। ରାଷ୍ଟ୍ରପତତିଙ୍କ ରହଣୀ ପାଇଁ ମଧ୍ୟ ଏହି ବିଖ୍ୟାତ ରୁମ୍‌ ନଂ-୧କୁ ସଂରକ୍ଷିତ ରଖାଯାଇଛି। ଏହି ରୁମ୍‌କୁ ଲାଗି ଥିବା ରୁମ୍‌ ନଂ-୨ରେ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସହାୟକ ରହିବେ। କାରଣ, ଆକସ୍ମିକ କାର୍ଯ୍ୟରେ ସେ ରାଷ୍ଟ୍ରପତିଙ୍କ ପାଖରେ ସ୍ବଳ୍ପ ସମୟ ଭିତରେ ପହଞ୍ଚିପାରିବେ। ରୁମ୍‌ ନଂ-୧ର ଠିକ୍‌ ଉପରେ ରୁମ୍‌ ନଂ-୫ ରହିଛି। ତେବେ ଏହି ରୁମ୍‌ରେ ଅନ୍ୟ କୌଣସି ଅତିଥିଙ୍କୁ ରଖାଯିବନି। ଉପର ରୁମ୍‌ରେ ରହିଲେ ଅନାବଶ୍ୟକ ଶବ୍ଦ, ବାଧା ଆଦି ସୃଷ୍ଟି ହେବାର ଆଶଙ୍କା ଥିବାରୁ ପ୍ରୋଟୋକଲ ଅନୁଯାୟୀ ଉକ୍ତ ରୁମ୍‌କୁ ବନ୍ଦ କରିଦିଆଯାଇଛି।

ପୂର୍ବରୁ ଆସିଛନ୍ତି ୪ ଜଣ ରାଷ୍ଟ୍ରପତି
ଇସ୍ପାତ ସହରର ମାଟିରେ ଦେଶର ପ୍ରଥମ ନାଗରିକଙ୍କଠାରୁ ଆରମ୍ଭ କରି ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ପାଦ ପଡ଼ିଛି। ୧୯୫୯ ମସିହାରେ ସର୍ବପ୍ରଥମଥର ପାଇଁ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲା ରାଉରକେଲା। ଆର୍‌ଏସ୍‌ପିର ପ୍ରଥମ ବ୍ଲାଷ୍ଟ୍‌ଫର୍ଣ୍ଣେସ୍‌ ଉଦ୍‌ଘାଟନ କରିଥିଲେ ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ। ସେହିଭଳି ୧୯୬୯ ମସିହାରେ ଦେଶର ତୃତୀୟ ରାଷ୍ଟ୍ରପତି ଜାକୀର ହୁସେନ ରାଉରକେଲା ଆସିଥିଲେ। ୧୯୮୨ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ନୀଲମ ସଞ୍ଜୀବ ରେଡ୍ଡୀ ରାଉରକେଲା ଆସି କ୍ୟାପ୍‌ଟିଭ୍‌ ପାୱାର୍‌ ପ୍ଲାଣ୍ଟ୍‌(ସିପିପି)-୨ର ଶୀଳାନ୍ୟାସ କରିଥିଲେ।

୨୦୦୩ ମସିହାରେ ରାଷ୍ଟ୍ରପତି ଅବଦୁଲ କଲାମଙ୍କୁ ରାଉରକେଲା ବାସୀ ସ୍ବାଗତ କରିବାର ସୁଯୋଗ ପାଇଥିଲେ। ଶ୍ରୀ କଲାମ ଇସ୍ପାତ କାରଖାନା ପରିଦର୍ଶନ କରିବାସହ କାରଖାନା ପରିସରରେ ଏକ ସ୍ମାରକ ଉଦ୍‌ଘାଟନ କରିଥିଲେ। ଆସନ୍ତା ୨୧ ତାରିଖରେ ପଞ୍ଚମଥର ପାଇଁ ରାଷ୍ଟ୍ରପତି ରାଉରକେଲାରେ ପଦାର୍ପଣ କରିବେ। ପ୍ରକାଶଥାଉକି, ରାଷ୍ଟ୍ରପତି ନ ଥିବା ସମୟରେ ମଧ୍ୟ ଅନେକ ପୂର୍ବତନ ରାଷ୍ଟ୍ରପତି ରାଉରକେଲା ଆସିଛନ୍ତି। ରାଷ୍ଟ୍ରପତି ହେବାପୂର୍ବରୁ ୧୯୫୯ ମସିହାରେ ଜାକୀର ହୁସେନ ରାଉରକେଲା ଆସିଥିବାବେଳେ ରାଷ୍ଟ୍ରପତି ହେବାପରେ ଡ. ଅବଦୁଲ କଲାମ ଏକାଧିକବାର ରାଉରକେଲା ଆସିଥିଲେ।

ପରସା ହେବ କମ୍‌ ଲୁଣ, ମସଲା ବ୍ୟଞ୍ଜନ
ରାଷ୍ଟ୍ରପତିଙ୍କ ଗସ୍ତ ଅବସରରେ ପରସା ଯିବାକୁ ଥିବା ବ୍ୟଞ୍ଜନ ଉପରେ ମଧ୍ୟ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି । ରାଷ୍ଟ୍ରପତି ରାଉରକେଲା ହାଉସ୍‌ରେ ମଧ୍ୟାହ୍ନ ଭୋଜନ ଗ୍ରହଣ କରିବେ । ମଧ୍ୟାହ୍ନ ଭୋଜନର ମେନ୍ୟୁ କ’ଣ ରହିବ, ତାହା ଏଯାଏଁ ଚୂଡ଼ାନ୍ତ ହୋଇନି । ‌ରାଷ୍ଟ୍ରପତି ଭବନରୁ ଏଯାଏଁ ମେନ୍ୟୁ ତାଲିକା ଦିଆଯାଇନି । ତେବେ ରାଷ୍ଟ୍ରପତିଙ୍କ ମଧ୍ୟାହ୍ନ ଭୋଜନ ପାଇଁ ରାଷ୍ଟ୍ରପତିଙ୍କ ରୋଷେୟା ମଧ୍ୟ ରାଉରକେଲା ଆସିବେ । ତେବେ ତାଙ୍କୁ ସହଯୋଗ କରିବାକୁ ସ୍ଥାନୀୟ ମେ’ ଫେୟାର ହୋଟେଲ୍‌ର ୧୫ ଜଣ ରୋଷେୟା ମଧ୍ୟ ରହିବେ। ତେବେ ସ୍ବଳ୍ପ ଲୁଣ, ତେଲ, ଚିନି ମିଶ୍ରିତ ଖାଦ୍ୟ ତିଆରି ହେବ । ଏହାସହ ଡ୍ରାଏ ଫୁଡ୍‌ର ମଧ୍ୟ ବ୍ୟବସ୍ଥା ରହିଛି ।