ସମ୍ପୂର୍ଣ୍ଣ ହେଲା କୃଷି ଆଇନ ପ୍ରତ୍ୟାହାର ପ୍ରକ୍ରିୟା, ସଂସଦ ପରେ ବିଲ ଉପରେ ରାଷ୍ଟ୍ରପତି ଲଗାଇଲେ ମୋହର

135

କନକ ବ୍ୟୁରୋ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିନି କୃଷି ଆଇନ ପ୍ରତ୍ୟାହାର କରିବା ବିଲ ଉପରେ ମୋହର ମାରିଛନ୍ତି । ଆଇନ ପ୍ରତ୍ୟାହାର ବିଧେୟକ ନଭେମ୍ବର ୨୯ ତାରିଖରେ ଉଭୟ ସଦନରେ ପାରିତ ହୋଇଥିଲା । ଏହି ୩ ଟି କୃଷି ଆଇନ ପ୍ରତ୍ୟାହାର, ଏମଏସପିକୁ ଆଇନ ପରିସରଭୂକ୍ତ କରିବା ଦାବିରେ ୧ ବର୍ଷରୁ ଅଧିକ ସମୟ ହେବ କୃଷକମାନେ ଆନ୍ଦୋଳନ ଚଳାଇଥିଲେ । ସଂଯୁକ୍ତ କିଷାନ ମୋର୍ଚ୍ଚାର ବ୍ୟାନର ତଳେ କୃଷକମାନେ ଦିଲ୍ଲୀର ସିଂଘୁ ସୀମା, ଟିକରି ସୀମା ଓ ଗାଜୀପୁର ସୀମାରେ ଆନ୍ଦୋଳନ ଜାରି ରଖିଥିଲେ ।

ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୯ ତାରିଖରେ ଗୁରୁପର୍ବ ଅବସରରେ ରାଷ୍ଟ୍ରକୁ ସମ୍ବୋଧିତ କରି କୃଷି ଆଇନ ପ୍ରତ୍ୟାହାର ହେବା ନେଇ ସଂକେତ ଦେଇଥିଲେ । ଏହାସହ ପ୍ରଧାନମନ୍ତ୍ରୀ କହିଥିଲେ କି ଏମଏସପିକୁ ନେଇ ଏକ କମିଟି ଗଠନ କରାଯିବ । ଅନ୍ୟପଟେ ୩ କୃଷି ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ଏହାକୁ ସ୍ୱାଗତ କରିଥିଲେ କୃଷକ ସଂଗଠନମାନେ । ହେଲେ ଏମଏସପି ଲାଗୁ, ଆନ୍ଦୋଳନ କ୍ରମରେ ମୃତ୍ୟୁ ହୋଇଥିବା କୃଷକଙ୍କ ପରିବାରକୁ ସହାୟତା ଓ କୃଷକଙ୍କ ଉପରେ ଦାୟର ହୋଇଥିବା ମାମଲା ପ୍ରତ୍ୟାହାର ଦାବିରେ ଏବେ ବି କୃଷକମାନେ ଆନ୍ଦୋଳନରେ ବସିଛନ୍ତି ।

ଏନେଇ ଆଜି (ବୁଧବାର) ଭାରତୀୟ କିଷାନ ସଭାର ମହାସଚିବ ହୁମାନ ଓଲ୍ଲା କହିଛନ୍ତି କି ଆନ୍ଦୋଳନ ସେତେବେଳେ ସମାପ୍ତ ହେବ ଯେତେବେଳେ ସରକାର ଆନ୍ଦୋଳନ କ୍ରମରେ ମୃତ୍ୟୁବରଣ କରିଥିବା ୬୮୭ ଜଣ କୃଷକଙ୍କ ପରିବାର ପାଇଁ ସହାୟତା ଘୋଷଣା କରିବେ , ଆନ୍ଦୋଳନକୁ ନେଇ କୃଷକ ମାନଙ୍କ ଉପରେ ହୋଇଥିବା ମାମଲା ପ୍ରତ୍ୟାହାର କରିବେ ଓ ଏମଏସପିକୁ ଆରନ ପରିସର ଭିତରକୁ ଆଣିବାକୁ କୃଷକ ସଂଗଠନ ସହ ଚର୍ଚ୍ଚା କରିବେ ।