ଦିବଙ୍ଗତ ରାଜନେତା ସୁଷମା ସ୍ୱରାଜଙ୍କୁ ପଦ୍ମ ବିଭୂଷଣ, ପି.ଭି ସିନ୍ଧୁଙ୍କୁ ପଦ୍ମ ଭୁଷଣ । ଜାଣନ୍ତୁ ପଦ୍ମ ପୁରସ୍କାରର ତାଲିକା

251

କନକ ବ୍ୟୁରୋ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ୨୦୨୦ ପାଇଁ ମନୋନୀତ ବ୍ୟକ୍ତିତ୍ୱଙ୍କୁ ପଦ୍ମ ସମ୍ମାନରେ ସମ୍ମାନୀତ କରିଛନ୍ତି । ଏଥିପାଇଁ ପୂର୍ବବର୍ଷ ତାଲିକା ଘୋଷଣା କରାଯାଇଥିଲା । ଭିନ୍ନ ଭିନ୍ନ କ୍ଷେତ୍ରରେ ବିଶେଷ ଯୋଗଦାନ ଦେଇଥିବା ମୋଟ ୧୧୯ ଜଣ ବ୍ୟକ୍ତିତ୍ୱଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି । ତିନୋଟି ଶ୍ରେଣୀରେ ପଦ୍ମ ବିଭୂଷଣ ,ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ସମ୍ମାନରେ ସମ୍ମାନ ଦିଆଯାଇଛି ।

ଚଳିତ ବର୍ଷ ଦିବଙ୍ଗତ ମହିଳା ରାଜନେତା ସୁଷମା ସ୍ୱାରାଜଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନ ଦିଆଯାଇଛି । ଏହି ସମ୍ମାନକୁୁ ତାଙ୍କ ଝିଅ ବାଂସୁରୀ ସ୍ୱରାଜ ଗ୍ରହଣ କରିଛନ୍ତି । ସେହିପରି ଚିକିତ୍ସା , କ୍ରୀଡା, ସଙ୍ଗୀତ , ଅଭିନୟ, ବିଜ୍୍ୟାନ କ୍ଷେତ୍ରରୁ ମଧ୍ୟ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ସମ୍ମାନ ଦିଆଯାଇଛି । ଏହି କ୍ରମରେ ବିଶ୍ୱ କ୍ରୀଡା କୁମ୍ଭ ଅଲିମ୍ପିକ୍ସରେ ଚଳିତ ବର୍ଷ ଭାରତ ପାଇଁ ପଦକ ଆଣିଥିବା ବ୍ୟାଡମିଣ୍ଟନ ଖେଳାଳି ପି, ଭି ସିନ୍ଧୁଙ୍କୁ ପଦ୍ମ ଭୂଷଣ ସମ୍ମାନ ଦିଆଯାଇଛି । ଅଲିମ୍ପିକ୍ସ ବ୍ୟତୀତ ଅନେକ ଅନ୍ତରାଷ୍ଟ୍ରିୟ କ୍ରୀଡାରେ ଭାରତ ପାଇଁ ଗୌରବ ଆଣିଛନ୍ତି ସିନ୍ଧୁ ।

ସେହିପରି ଚିକିତ୍ସା କ୍ଷେତ୍ରରେ ନିଷ୍ଠାପର କର୍ତ୍ତବ୍ୟ ପାଇଁ ଏୟାର ମାର୍ଶଲ ପଦ୍ମା ବନ୍ଦୋପାଧ୍ୟାୟଙ୍କୁ ପଦ୍ମଶ୍ରୀ ସମ୍ମାନ, ଲୋକପ୍ରିୟ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଛତ୍ରୁଲାଲ ମିଶ୍ରାଙ୍କୁ ପଦ୍ମ ବିଭୂଷଣ, ଲୋକପ୍ରିୟ ଗାୟକ ଅଦନାନ ସାମିଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯାଇଛି । ଏହାସହ ଆଇସିଏମଆରର ପୂର୍ବତନ ନିର୍ଦ୍ଦେଶକ ଡ.ରମଣ ଗଙ୍ଗାଖେଡକରଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଛି । କରୋନା ମହାମାରୀ ସମୟରେ ଡାକ୍ତର ଗଙ୍ଗାଖେଡକର ଲଗାତାର ପ୍ରେସ୍ କନଫରେନ୍ସ କରି ଜନତାଙ୍କୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇ ଆସୁଛନ୍ତି । ସେହିପରି ବଲିଉଡର ଜଣାଶୁଣା ଅଭିନେତ୍ରୀ କଙ୍ଗଣା ରଣାୱତଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଛି । ଭାରତୀୟ ମହିଳା ହକି ଟିମର ଅଧିନାୟିକା ରାଣୀ ରାମପାଲଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।