ରାଜ୍ୟସଭା ପାଇଁ ମନୋନୀତ ହେଲେ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି । ରଞ୍ଜନଙ୍କ ନାଁରେ ମୋହର ମାରିଲେ ରାଷ୍ଟ୍ରପତି, ଆରମ୍ଭ ହେଲା ରାଜନୈତିକ ବୟାନବାଜି

516

କନକ ବ୍ୟୁରୋ : ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନୋଟିଫିକେସନ ଅନୁଯାୟୀ, ରଞ୍ଜନ ଗୋଗେଇଙ୍କ ନାଁରେ ମୋହର ମାରିଛନ୍ତି ରାଷ୍ଟ୍ରପତି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଥିବା ରଞ୍ଜନ ଗୋଗେଇ ଗତବର୍ଷ ୯ ନଭେମ୍ବରରେ ଅବସର ଗ୍ରହଣ କରିଥିଲେ । ନିଜର ସାଢେ ୧୩ ମାସର କାର୍ଯ୍ୟକାଳ ସମୟରେ ରଞ୍ଜନ ଗୋଗେଇ ୪୭ଟି ମାମଲାର ରାୟ ଦେଇଛନ୍ତି । ଯେଉଁଥିରେ କିଛି ଐତିହାସିକ ରାୟ ମଧ୍ୟ ରହିଛି । ଅଯୋଧ୍ୟା ମାମଲା, ମୁଖ୍ୟ ବିଚାରପତିଙ୍କ ଅଫିସକୁ ଆରଟିଆଇ ଅଧିନକୁ ଆଣିବା, ରାଫେଲ ଚୁକ୍ତି, ସାବରିମାଳା ମନ୍ଦିର ମାମଲା ଓ ସରକାରୀ ବିଜ୍ଞାପନରେ ନେତାଙ୍କ ଫଟୋ ନରହିବା ଭଳି ମାମଲାର ରାୟ ଦେଇ ଚର୍ଚ୍ଚାର ପରିସରକୁ ଆସିଥିଲେ ରଞ୍ଜନ ଗୋଗେଇ ।

୧୮ ନଭେମ୍ବର ୧୯୫୪ ଜନ୍ମଗ୍ରହଣ କରିଥିବା ରଞ୍ଜନ ଗୋଗେଇ ୧୯୭୮ରେ ଓକିଲ ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ୨୮ ଫେବ୍ରୁଆରୀ ୨୦୦୧ରେ ଗୌହାଟୀ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ ରଞ୍ଜନ । ୯ ସେପ୍ଟେମ୍ବର ୨୦୧୦ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟକୁ ତାଙ୍କର ବଦଳି ହୋଇଥିଲା । ୨୦୧୧ରେ ତାଙ୍କୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ରଞ୍ଜନ । ୨୦୧୨ରେ ତାଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ଦାୟିତ୍ୱ ମିଳିଥିଲା । ଦୀପକ ମିଶ୍ର ଅବସର ଗ୍ରହଣ କରିବା ପରେ ରଞ୍ଜନ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ତେବେ ରାଜ୍ୟସଭା ସଦସ୍ୟ ଭାବେ ରଞ୍ଜନ ଗୋଗେଇଙ୍କୁ ମନୋନୀତ କରିଯିବା ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି ।