ଐତିହାସିକ ବରୁଣେଇ ପାହାଡ ପାଦଦେଶରେ ଝଟକିବ ବୀର ପାଇକଙ୍କ ସ୍ମାରକୀ ପୀଠ। ପାଇକ ବିଦ୍ରୋହ ସ୍ମାରକର ଶିଳାନ୍ୟାସ କଲେ ରାଷ୍ଟ୍ରପତି । କହିଲେ, ବିଶ୍ୱରେ କୋଣାର୍କ ପରେ ଏହା ହେବ ଓଡିଆର ନୂଆ ପରିଚୟ

ମୁଖ୍ୟମନ୍ତ୍ରୀ ଯୋଗଦେଇ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ସହ ବକ୍ସି ଜଗବନ୍ଧୁଙ୍କ ନାଁରେ ଏକ ଏକ୍ସପ୍ରେସ ଚଳାଇବାକୁ କଲେ ଦାବି

345

କନକ ବ୍ୟୁରୋ: ଐତିହାସିକ ବରୁଣେଇ ପାହାଡ ପାଦଦେଶରେ ଝଟକିବ ବୀର ପାଇକଙ୍କ ସ୍ମାରକୀ ପୀଠ । ଆଜି ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ କରିଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଐତିହାସିକ ବରୁଣେଇର ପାଦଦେଶରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଓଡିଆ ଜାତିର ମହାସଂଗ୍ରାମର ୨୦୦ ବର୍ଷ ସ୍ମୃତିର ଶୁଭାରମ୍ଭ ହୋଇଛି । ଏଥିରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଳାଦ ସିଂହ ପଟେଲ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସ୍ୱାଧୀନତା ସଂଗ୍ରାମୀ ପରିବାରର ଦାୟାଦ ମାନେ ଉପସ୍ଥିତ ରହିଥିଲେ ।

ଆଗାମୀ ଶତାବ୍ଦୀର ଓଡିଆ ଜାତିର ଲଢେଇ, ସଂଗ୍ରାମ, ତ୍ୟାଗ ତଥା ବଳିଦାନର ଏହା ପ୍ରତୀକ ହେବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ଦାବି କରିଥିଲେ । ବକ୍ସି ଜଗବନ୍ଧୁଙ୍କ ନାଁରେ ଏକ ଏକ୍ସପ୍ରେସ ଚଳାଇବାକୁ ରାଷ୍ଟ୍ରପତିଙ୍କ ନିକଟରେ ଦାବିକରିଥିଲେ ମୁଖ୍ୟମନ୍ତ୍ରୀ । ଏହା ସହିତ ରାଜ୍ୟ ସରକାର ପାଇକ ବିଦ୍ରୋହର ସ୍ମାରକ ପାଇଁ ୧୦ ଏକର ପରିମିତ ଜାଗା ସହିତ ସମସ୍ତ ସୁବିଧା ଯୋଗାଇଦେବାକୁ ଘୋଷଣା କରିଛନ୍ତି ।

ରାଷ୍ଟ୍ରପତିଙ୍କ ସଂବୋଧନ

• ପାଇକ ବିଦ୍ରୋହ ସ୍ମାରକ ଆଗାମୀ ପିଢୀ ପାଇଁ ପ୍ରେରଣାର ସ୍ରୋତ ହେବ

• ସ୍ୱାଭିମାନୀ ପାଇକ ମାନେ କୃଷକ ସହିତ ବଡ ଯୋଦ୍ଧା ବି ଥିଲେ

• ଜୟୀ ରାଜଗୁରୁଙ୍କ ପ୍ରାଣବଳୀ ପରେ ବିଦ୍ରୋହକୁ ଆଗେଇ ନେଇଥିଲେ ବକ୍ସି ଜଗବନ୍ଧୁ

• ପାଇକ ବିଦ୍ରୋହକୁ ସବୁଆଡୁ ମିଳିଥିଲା ସମର୍ଥନ

• ଉତ୍କଳ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନ ପାଇବ ପାଇକ ବିଦ୍ରୋହ

• ପାଇକ ବିଦ୍ରୋହ ନେଇ ଆଗକୁ ସମସ୍ତେ ଅବଗତ ହୋଇପାରିବ

• କୋଣାର୍କ ପରି ପାଇକ ବିଦ୍ରୋହ ସ୍ମାରକ ଓଡିଶାର ନୂଆ ପରିଚୟ ହେବ

• ସାରା ବିଶ୍ୱକୁ ପାଇକ ବିଦ୍ରୋହର ବାର୍ତା ସମ୍ପର୍କରେ ଜଣାଇବ ଏହି ସ୍ମାରକ।