ଜନ୍ମଭୂମିରେ ପହଞ୍ଚି  ଗାଁ ମାଟିକୁ ମୁଣ୍ଡିଆ ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । କହିଲେ, ଏଇଠୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ପହଞ୍ଚି ପାରିଛି ।

406

କନକ ବ୍ୟୁରୋ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉତ୍ତରପ୍ରଦେଶ ଗସ୍ତରେ ଯାଇଛନ୍ତି । ଆଉ ନିଜର ଏହି ଗସ୍ତରେ ନିଜ ପୈତୃକ ଗାଁ ବା ଜନ୍ମସ୍ଥାନରେ ପହଞ୍ଚିଛନ୍ତି ରାଷ୍ଟ୍ରପତି । କିନ୍ତୁ ରାଷ୍ଟ୍ରପତି ନିଜ ଗାଁରେ ପହଞ୍ଚିବା ବେଳେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି ତାହା ଆପଣଙ୍କୁ ମଧ୍ୟ କିଛି ମାତ୍ରାରେ ଭାବବିହ୍ୱଳ କରିବ । ଜନ୍ମସ୍ଥାନ ପ୍ରତି ରାଷ୍ଟ୍ରପତିଙ୍କର ଥିବା ଭଲପାଇବାକୁ ଆଜି ପୂରା ଦେଶ ଦେଖିଛି । ଉତ୍ତରପ୍ରଦେଶର ପରୋଁଖ ଗାଁରେ ଆଜି ରାଷ୍ଟ୍ରପତି ପହଞ୍ଚିବା ବେଳେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା ।

ରାଷ୍ଟ୍ରପତି ନିଜ ଗାଁରେ ହେଲିକପ୍ଟରରେ ପହଞ୍ଚିଥିଲେ । କିନ୍ତୁ ହେଲିକପ୍ଟରରୁ ଓହ୍ଲାଇ ଗାଁରେ ପାଦ ଦେବା ମାତ୍ରେ ଗାଁ ମାଟିକୁ ମୁଣ୍ଡିଆ ମାରିବାକୁ ଭୁଲିନଥିଲେ ରାଷ୍ଟ୍ରପତି । ଗାଁ ମାଟିକୁ ମୁଣ୍ଡରେ ମାରି ନିଜର ଯାତ୍ରା ଆରମ୍ଭ କରିଥିଲେ ରାଷ୍ଟ୍ରପତି । ଏହି ଅବସରରେ ରାଷ୍ଟ୍ରପତି  କହିଛନ୍ତି, ମୁଁ ଯେଉଁଠି ବି ରୁହେ, ଗାଁ ପ୍ରତି ଥିବା ଭଲପାଇବା ସବୁବେଳେ ମୋ ହୃଦୟରେ ରହିଛି ।   ମୋ ପାଇଁ ପରୋଁଖ କେବଳ ଗୋଟିଏ ଗାଁ ନୁହେଁ ବରଂ ଏହା ମୋ ମାତୃଭୂମି । ଯେଉଁଠି ଦେଶସେବା ପାଇଁ ମୋତେ ପ୍ରେରଣା ମିଳିଛି । ମାତୃଭୂମିରୁ ମିଳିଥିବା ଏହି ପ୍ରେରଣା ମୋତେ ହାଇକୋର୍ଟରୁ ସୁପ୍ରିମକୋର୍ଟ, ସୁପ୍ରିମକୋର୍ଟରୁ ରାଜ୍ୟସଭା, ରାଜ୍ୟସଭାରୁ ରାଜଭବନ, ରାଜଭବନରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ପହଞ୍ଚାଇଛି ।

ଗାଁର ଜଣେ ସାଧାରଣ ବ୍ୟକ୍ତିକୁ ଦେଶର ସର୍ବୋଚ୍ଚ ପଦରେ ବସିବା ସହ ଦାୟିତ୍ୱ ନିର୍ବାହ କରିବାର ସୌଭାଗ୍ୟ ମିଳିବ ତାହାର କେବେ କଳ୍ପନା ମଧ୍ୟ କରିନଥିଲି । କିନ୍ତୁ ଆମର ଗଣତାନ୍ତ୍ରିକ ବ୍ୟବସ୍ଥା  ପାଇଁ ଏହା ସମ୍ଭବପର ହୋଇପାରିଛି । ଗତ ୨୫ ତାରିଖରେ ରାଷ୍ଟ୍ରପତି ସ୍ପେଶାଲ ଟ୍ରେନ ଜରିଆରେ ଦିଲ୍ଲୀରୁ କାନପୁର ପହଞ୍ଚିଛନ୍ତି । ଆଉ ଏଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେବେ । ଆଜି ନିଜ ଗାଁ ଅଭିମୁଖେ ଯାଇଥିଲେ ରାଷ୍ଟ୍ରପତି । ଯେଉଁଠି ଏଭଳି ଏକ ଦୃଶ୍ୟକୁ କଏଦ କରିଥିଲା କ୍ୟାମେରା ।