କନକ ବ୍ୟୁରୋ : ଯାଇନି ମହାମାରୀ, ସରିନି କରୋନା ବିରୋଧରେ ଲଢ଼େଇ । ତେଣୁ ସତର୍କ ରହି ସମସ୍ତ କରୋନା ନିୟମକୁ ପାଳନ କରିବାକୁ କହିଛନ୍ତି ରାଷ୍ଟ୍ରପତି । ୭୩ ତମ ସାଧାରଣତନ୍ତ୍ର ଉତ୍ସବର ପୂର୍ବ ସଂଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରି ଏପରି ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
ରାଷ୍ଟ୍ରପତି କହିଛନ୍ତି, କରୋନା ମହାମାରୀ ବିରୋଧରେ ଲଢ଼େଇ ଏବେ ପ୍ରତ୍ୟେକ ନାଗରିକଙ୍କ ଜାତୀୟ କର୍ତବ୍ୟ । ମାସ୍କ ପିନ୍ଧିବା, ସାମାଜିକ ଦୂରତା ଆଦି ନିୟମକୁ ମାନିବା ସହ ବୈଜ୍ଞାନିକ ଓ ବିଶେଷଜ୍ଞଙ୍କ ପରାମର୍ଶକୁ ମାନିବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି, ସ୍ୱାଧୀନତା ସଂଗ୍ରାମୀର ବଳିଦାନକୁ ମନେ ପକାଇବାର ଅବସର ହେଉଛି ଗଣତନ୍ତ୍ର ଦିବସ । ଅନେକ ବିବିଧତା ସତ୍ୱେ ଦେଶର ଗଣତନ୍ତ୍ର ସଫଳ ହୋଇଥିବା କହିଛନ୍ତି ରାଷ୍ଟ୍ରପତି ।
ଏ ବର୍ଷ କୋଭିଡ୍ ଯୋଗୁ ସାଧାରଣତନ୍ତ୍ର ଦିବସ ଉତ୍ସବ ସଂକୁଚିତ ହୋଇପାରେ ମାତ୍ର ଉତ୍ସାହ ପୂର୍ବ ପରି ରହିଛି। ଏହା ହେଉଛି ଐକ୍ୟ ଭାବନାର ଉତ୍ସାହ । ଆମ ଭିତରେ ଗୋଟିଏ ଜିନିଷ ସମାନ ଏବଂ ତାହା ହେଉଛି ଭାରତୀୟତା । ଏହା କହିବା ସହ ରାଷ୍ଟ୍ରପତି ସମସ୍ତଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ରାଷ୍ଟ୍ରପତି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଦେଶର ସ୍ବାଧୀନତା ସଂଗ୍ରାମକୁ ତାଙ୍କର ଅବଦାନକୁ ସ୍ମରଣ କରିଛନ୍ତି । ଦେଶ ପାଇଁ ଅତୁଳନୀୟ ଦୁଃସାହସିକତା ପ୍ରଦର୍ଶନ କରିଥିବା ସମସ୍ତ ସ୍ବାଧୀନତା ସଂଗ୍ରାମୀଙ୍କୁ ମଧ୍ୟ ସେ ମନେ ପକାଇଥିଲେ ।
ରାଷ୍ଟ୍ରପତି ତାଙ୍କ ଉଦ୍ବୋଧନରେ କହିଛନ୍ତି ଯେ, ଆମର ସୈନିକ ଓ ସୁରକ୍ଷା କର୍ମୀମାନେ ହିଁ ଜାତୀୟ ଗର୍ବର ଉତ୍ତରାଧିକାରିତ୍ବ ବହନ କରୁଛନ୍ତି । ହିମାଳୟର ହାଡ଼ଥରା ଜାଡ଼ ଏବଂ ମରୁଭୂମିର ଅସହ୍ୟ ଉତ୍ତାପରେ ନିଜ ପରିବାରଠାରୁ ବହୁ ଦୂରରେ ରହି ସେମାନେ ମାତୃଭୂମିକୁ ସୁରକ୍ଷା ଦେଉଛନ୍ତି । ଅର୍ଥନୀତିର ପ୍ରତ୍ୟେକ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ସରକାର ଗୁରୁତ୍ବ ଦେଉଛନ୍ତି ଏବଂ ଯେଉଁଠି ଦରକାର ସେଠିକି ସହାୟତାର ହାତ ବଢ଼ାଉଛନ୍ତି ବୋଲି ରାଷ୍ଟ୍ରପତି ତାଙ୍କ ଭାଷଣରେ କହିଛନ୍ତି । ଏହା ଫଳରେ ଭାରତ ୫ଟି ନବୋଦ୍ଭନଶୀଳ ଅର୍ଥନୀତି ଭିତରେ ସ୍ଥାନ ପାଇଛି ।
କୋଭିଡ୍ ସହ ଭାରତର ଲଢ଼େଇ ଉପରେ ରାଷ୍ଟ୍ରପତି କହିଛନ୍ତି ଯେ, ଆମ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ତଥା ଅନ୍ୟ କରୋନା ଯୋଦ୍ଧାମାନେ ବହୁ ପରିଶ୍ରମ କରିଛନ୍ତି । ପ୍ରତିକୂଳ ପରିବେଶରେ ଦୀର୍ଘ ସମୟ ଧରି ସେମାନେ କାମ କରିଛନ୍ତି । ସେମାନଙ୍କ ପାଇଁ ଆମେ ଗର୍ବ କରିବା ଉଚିତ । ପ୍ରଥମ ଓ ଦ୍ବିତୀୟ ଲହରକୁ ଆମେ ଅତିକ୍ରମ କରିସାରିଛୁ । ତେବେ କୋଭିଡ୍ ଯାଇନାହିଁ, ତାହା ଏବେ ବି ବ୍ୟାପୁଛି । ତେଣୁ ସମସ୍ତେ ସତର୍କ ରହିବା ଓ ସମସ୍ତ କଟକଣା ମାନିବା ପାଇଁ ସେ ପରାମର୍ଶ ଦେଇଥିଲେ ।