ରୁଷିଆ-ୟୁକ୍ରେନ ଯୁଦ୍ଧ ଭିତରେ ରାଷ୍ଟ୍ରପତି ପୁଟିନଙ୍କ ବଡ ଚେତାବନୀ: କହିଲେ ବେଲାରୁଷରେ ଖୁବଶୀଘ୍ର ପରମାଣୁ ଅସ୍ତ୍ର କରିବେ ମୁତୟନ

482

କନକ ବ୍ୟୁରୋ: ପାଖାପାଖି ବର୍ଷେରୁ ଅଧିକ ଦିନ ଧରି ଚାଲିଥିବା ରୁଷ୍-ୟୁକ୍ରେନ ଯୁଦ୍ଧ ଭିତରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବେ ଏକ ବଡ଼ ଘୋଷଣା କରିଛନ୍ତି । ବେଲାରୁଷରେ ପରମାଣୁ ଅସ୍ତ୍ର ମୁତୟନ କରିବା ନେଇ ପୁଟିନ୍ କହିଛନ୍ତି । ସେ କହିଛନ୍ତି, ପରମାଣୁ ଅସ୍ତ୍ର ନିୟମର ଉଲ୍ଲଂଘନ କରିବା ଆମର ଉଦ୍ଦେଶ୍ୟ ନୁହେଁ । କିନ୍ତୁ ଆମେରିକା ନିଜ ହରକତକୁ ଛାଡୁନାହିଁ । ଆମେରିକା କିଛି ଦେଶରେ ତା’ର ପରମାଣୁ ଅସ୍ତ୍ର ମୁତୟନ ରଖିଛି । ସେଥିପାଇଁ ଏବେ ରୁଷ ମଧ୍ୟ ଠିକ୍ ସେଭଳି କରିବାକୁ ନିଷ୍ପତି ନେଇଛି । ନାଟୋ ମଧ୍ୟ ବାରମ୍ବାର ସୀମାରେ ଆମକୁ ଧମକ ଦେବାର କୌଣସି ସୁଯୋଗ ହାତଛଡ଼ା କରୁନାହିଁ । ୟୁକ୍ରେନକୁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଯୋଗାଇ ଯୁଦ୍ଧକୁ ଆହୁରି ବଢାଉଛି । ପରୋକ୍ଷରେ ରୁଷିଆ ବିରୋଧରେ ଷଡଯନ୍ତ୍ର କରୁଛି ନାଟୋ ଦେଶ । ଯଦି ଆମେରିକା ଓ ନାଟୋ, ରୁଷିଆ ପ୍ରତି ସମସ୍ୟା ସୃଷ୍ଟି କରେ ତାହାଲେ ଆମେ ବି ଚୁପ୍ ବସିବୁ ନାହିଁ ବୋଲି କହିଛନ୍ତି ପୁଟିନ୍ । ଏହାସହ ନିଜ ଦେଶର ଶକ୍ତିଶାଳୀ ପରମାଣୁ ଅସ୍ତ୍ରକୁ ବେଲାରୁଷ ସୀମାରେ ମୁତୟନ କରିବାକୁ ଧମକ ମଧ୍ୟ ଦେଇଛନ୍ତି ପୁଟିନ୍ । ୧୯୯୦ ଦଶକ ପରେ ପ୍ରଥମ ଥର ବିଦେଶୀ ରାଷ୍ଟ୍ରରେ ପରମାଣୁ ଅସ୍ତ୍ର ମୁତୟନ କରିବାକୁ ନିଷ୍ପତି ନେଇଛି । ଏହାକୁ ନେଇ ବେଲାରୁଷ ସହ ଏକ ଚୁକ୍ତି ମଧ୍ୟ ସ୍ୱାକ୍ଷର କରିଛି ରୁଷିଆ ।