କନକ ବ୍ୟୁରୋ : ୟୁକ୍ରେନ ଉପରେ ରୁଷ୍ ଆକ୍ରମଣ ଘଟଣା ଏବେ ନୂଆ ମୋଡ଼ ନେବାର ସଙ୍କେତ ଦେଖାଦେଇଛି । ରୁଷିଆ ରାଷ୍ଟ୍ରପତି ପୁଟିନ୍ କହିଛନ୍ତି, ଯଦି ୟୁକ୍ରେନ ଏଭଳି ମନୋଭାବ ଜାରି ରଖେ, ତାହେଲେ ୟୁକ୍ରେନ ନିଜର ଦେଶ ହେବାର ମାନ୍ୟତା ହରାଇବ । ଏହାର ଅର୍ଥ ହେଉଛି ରୁଷ୍ ୟୁକ୍ରେନକୁ ଦଖଲ କରିନେବ । ପୂର୍ବରୁ କିନ୍ତୁ ରାଷ୍ଟ୍ରପତି ପୁଟିନ୍ କହିଥିଲେ ଯେ, ୟୁକ୍ରେନ ଦଖଲ କରିବା ପାଇଁ ତାଙ୍କର କୌଣସି ଯୋଜନା କି ଅଭିପ୍ରାୟ ନାହିଁ ।

Advertisment

ବର୍ତ୍ତମାନର ୟୁକ୍ରେନ ସରକାର ନିଶ୍ଚୟ ବୁଝିବା ଦରକାର, ଯାହା ସେମାନେ କରୁଛନ୍ତି, ଯଦି ସେମାନେ ସେଇଆ କରି ଚାଲନ୍ତି, ତେବେ ୟୁକ୍ରେନ ଦେଶର ମାନ୍ୟତାକୁ ବିପଦ ଘେରକୁ ଆଣିବ । ଏବଂ ଯଦି ଏହା ଘଟେ ତେବେ ଏଥିପାଇଁ ୟୁକ୍ରେନ ହିଁ ଦାୟୀ ରହିବ ।

ଯୁଦ୍ଧର ୧୦ ଦିନ ପରେ ସିଧାସଳଖ ଏଭଳି ଚେତାବନୀ ଦେଇଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ପ୍ରଥମେ ପୁଟିନ କହୁଥିଲେ ରୁଷିଆ ସେନା ୟୁକ୍ରେନକୁ ଦଖଲ କରିବ ନାହିଁ । ସେମାନେ ୟୁକ୍ରେନର ସାମରିକ ଶକ୍ତି ଏବଂ ନାଜି ଶକ୍ତିକୁ ହଟାଇବେ । କିନ୍ତୁ ଅନେକ ସ୍ଥାନରେ ୟୁକ୍ରେନ ସେନାର ଜବରଦସ୍ତ ମୁକାବିଲା ପରେ ଏଭଳି ସ୍ୱର ବଦଳାଇଛନ୍ତି ରୁଷିଆ ରାଷ୍ଟ୍ରପତି । ସିଧାସଳଖ କହୁଛନ୍ତି ଯଦି ୟୁକ୍ରେନ ଆତ୍ମସମର୍ପଣ ନକରେ ତେବେ ସେମାନେ ୟୁକ୍ରେନକୁ ଦଖଲ କରିନେବେ ଏବଂ ରୁଷିଆ ସହିତ ମିଶାଇ ଦେବେ ।

ରବିବାର ଦିନ ୟୁକ୍ରେନ ମିଲିଟାରୀ ଏକ ଫେସବୁକ ପୋଷ୍ଟରେ କହିଛି, ରୁଷିଆ ସେନାଙ୍କୁ ସେମାନେ ଜୋରଦାର ମୁକାବିଲା କରୁଛନ୍ତି । ଦକ୍ଷିଣ ୟୁକ୍ରେନ ସହର ମିକୋଲେଭ୍ ଏବଂ ଉତ୍ତରରେ ଥିବା ଚର୍ଣ୍ଣିହିବରେ ସେମାନେ ଜୋରଦାର ଲଢେଇ କରୁଛନ୍ତି ।

ୟୁକ୍ରେନ ମିଲିଟାରୀ ଏହି ଫେସବୁକ ପୋଷ୍ଟରେ କହିଛି ମୋରିଓପୋଲ୍ ସହରକୁ ନିୟନ୍ତ୍ରଣରେ ଆଣିବା ପାଇଁ ସମସ୍ତ ଚେଷ୍ଟା କରାଯାଉଛି । ସେଠାରୁ ସାଧାରଣ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ରୁଷିଆ ସେନା ରାଜି ହେବା ପରେ ଲୋକଙ୍କୁ ଖାଲି କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଏଥିସହ ୟୁକ୍ରେନ ମିଲିଟାରୀ କହିଛି ସେଠାରେ ପରିସ୍ଥିତି ଜଟିଳ ରହିଛି । ଏବଂ ଆମେରିକା ଓ ୟୁରୋପୀୟ ଦେଶ ମାନଙ୍କୁ ସାହାଯ୍ୟ କରନ୍ତୁ ।

ଏ ସବୁ ଭିତରେ ଆମେରିକା ଓ ନାଟୋ ସହାୟତାରେ ୟୁକ୍ରେନ ଆକାଶକୁ ନୋ ଫ୍ଲାଏ ଜୋନ୍ କରିବା ପାଇଁ ଚେଷ୍ଟା କରୁଛନ୍ତି ରାଷ୍ଟ୍ରପତି ଜେଲେନସ୍କି । ଅର୍ଥାତ ୟୁକ୍ରେନ ଆକାଶ ଉପରେ ରୁଷିଆର ବିମାନକୁ ଉଡିବାକୁ ଅନୁମତି ଦିଆଯିବନାହିଁ । କିନ୍ତୁ ଆମେରିକା ଓ ନାଟୋ ଏଭଳି ପ୍ରସ୍ତାବରେ ରାଜି ହୋଇ ନାହାନ୍ତି ।

ସେପଟେ ରୁଷିଆ ରାଷ୍ଟ୍ରପତି ପୁଟିନ୍ ଚେତାବନୀ ଦେଇଛନ୍ତି, ଯଦି ୟୁକ୍ରେନ ଆକାଶକୁ ନୋ ଫ୍ଲାଏ ଜୋନ କରାଯାଏ ତେବେ ଆକ୍ରମଣକୁ ଆହୁରି ବ୍ୟାପକ କରାଯିବ । ଏବଂ ଏହାର ଭୟଙ୍କର ପରିଣାମ ହେବ । ଏହି ଦିଗରେ କୌଣସି ପଦକ୍ଷେପ ନେଲେ ତାହା ରୁଷିଆ ବିରୋଧରେ ଯୁଦ୍ଧ ବୋଲି ଧରିନିଆଯିବ ।

ସେପଟେ ଭିସା ଏବଂ ମାଷ୍ଟରକାର୍ଡ ଉଭୟ ରୁଷିଆରେ ନିଜ ବ୍ୟବସାୟିକ ଅପରେସନ କରିଛନ୍ତି । ମାଷ୍ଟରକାର୍ଡ କହିଛି, ଏକ ଅନିଶ୍ଚିତ ଆର୍ଥିକ ପରିବେଶ ଏବଂ ପରିସ୍ଥିତି ଦେଖି ଏଭଳି ନିଷ୍ପତି ନିଆଯାଇଛି । ସେପଟେ ଭିସା କହିଛି, ରୁଷିଆ ଭିତରେ ସମସ୍ତ ଭିସା ନେଣଦେଣକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗତ ୧୧ ଦିନ ଧରି ଯୁଦ୍ଧ ଏଭଳି ପରିସ୍ଥିତି ସୃଷ୍ଟି କରିଛି, ଯାହା ନିକଟ ଅତୀତରେ କେବେ ଘଟିନଥିଲା । ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ କହିଛି, ଏହି ଯୁଦ୍ଧର ପ୍ରଭାବ ବିଧ୍ୱଂସକାରୀ ହେବ ।