କାଲି ପାଇକ ବିଦ୍ରୋହ ସ୍ମାରକର ଶିଳାନ୍ୟାସ କରିବେ ରାଷ୍ଟ୍ରପତି । ଐତିହାସିକ ବରୁଣେଇ ପାହାଡ ପାଦଦେଶରେ ଝଟକିବ ବୀର ପାଇକଙ୍କ ସ୍ମାରକୀ ପୀଠ ।

568

କନକ ବ୍ୟୁରୋ : ଐତିହାସିକ ବରୁଣେଇ ପାହାଡ ପାଦଦେଶରେ ଝଟକିବ ବୀର ପାଇକଙ୍କ ସ୍ମାରକୀ ପୀଠ । ଆସନ୍ତାକାଲି ପାଇକ ବିଦ୍ରୋହ ସ୍ମାରକର ଶିଳାନ୍ୟାସ କରିବେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସ୍ମାରକ ସ୍ଥଳ ବୁଲି ଦେଖିଥିଲେ । ପାଇକ ସ୍ମାରକୀ ନିର୍ମାଣ କରିବା ପାଇଁ ଦୀର୍ଘ ଦିନ ହେବ ଦାବି ହୋଇ ଆସୁଥିଲା । କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଏଥିପାଇଁ ୫୦ ଏକର ଜମି ଦେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ । ତେବେ ରାଜ୍ୟ ସରକାର ପାଇକ ବିଦ୍ରୋହର ମୁ୍କସାକ୍ଷୀ ବରୁଣେଇ ପାହାଡର ପାଦଦେଶରେ ୧୦ ଏକର ପରିମିତ ଜାଗା ଦେବାପରେ ଏହି ସ୍ୱପ୍ନ ସାକାର ହେବାକୁ ଯାଉଛି ।

୧୮୧୭ ମସିହା । ଇଂରେଜ ସରକାରଙ୍କ କବଳରେ ଥାଏ ସାରା ଦେଶ । ବ୍ରିଟିଶ ରାଜରେ ଅତିଷ୍ଠ ହୋଇପଡିଥାନ୍ତି ଦେଶବାସୀ । କିନ୍ତୁ ଠିକ୍ ସେତିକି ବେଳେ ଓଡିଆ ପାଇକ ପୁଅ ଦେଖିଥିଲା ସ୍ୱାଧୀନତାର ସ୍ୱପ୍ନ । ଆଉ ବରୁଣେଇ ପାହାଡ଼ ଥିଲା ଏହାର ମୁକସାକ୍ଷୀ । ଆଉ ଏହି ସଂଗ୍ରାମର ମଙ୍ଗ ଧରିଥିଲେ ରାଜା ମୁକୁନ୍ଦ ଦେବଙ୍କ ସେନାପତି ବକ୍ସି ଜଗବନ୍ଧୁ ବିଦ୍ୟାଧର । ବୀର ପାଇକମାନଙ୍କୁ ଏକାଠି କରି ଇଂରେଜଙ୍କ ବିରୁଦ୍ଧରେ ବଜାଇଥିଲେ ରଣଦୁନ୍ଦୁଭି । ବକ୍ସିଙ୍କ ନେତୃତ୍ୱରେ ଏହି ପାଇକ ବିଦ୍ରୋହ ବ୍ରିଟିଶ ସରକାର ଆଖିରୁ ନିଦ ହଜେଇ ଦେଇଥିଲା । ଶେଷରେ ଚଂଚକତା କରି ବକ୍ସିଙ୍କୁ ଗିରଫ କରିଥିଲା ବ୍ରିଟିଶ ସେନା । ମାଟି ମାଆକୁ ସ୍ୱାଧୀନତାର ସ୍ୱାଦ ଚଖାଇବା ପାଇଁ ମୃତ୍ୟୁକୁ ଆପଣେଇ ନେଇଥିଲେ ଏହି ମହାନ ଯୋଦ୍ଧା । ଆଉ ଭାରତବାସୀଙ୍କ ମନରେ ଜାଳିଥିଲେ ସ୍ୱାଧୀନତାର ବହ୍ନି ।

୧୮୫୭ରେ ସିପାହୀ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ଆଖ୍ୟା ମିଳିଛି । ହେଲେ ଏହାର ୪୦ ବର୍ଷ ପୂର୍ବରୁ ଓଡ଼ିଶା ମାଟିରେ ହୋଇଥିଲା ପାଇକ ବିଦ୍ରୋହ । ଏହି ସଂଗ୍ରାମକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ଏବେ ବାଟ ଫିଟୁଛି । ପାଇକ ବିଦ୍ରୋହର ଦୁଇ ଶହ ବର୍ଷ ପରେ ଏବେ ଓଡିଶାର ବୀର ପାଇକଙ୍କ ବଳିଦାନକୁ ସ୍ୱୀକୃତି ମିଳିବାର ପଥ ପରିଷ୍କାର ହେବାକୁ ଯାଉଛି । ଇଂରେଜ ଶାସନ ବିରୁଦ୍ଧରେ ପାଇକ ବୀରଙ୍କ ସଂଗ୍ରାମର କାହାଣୀ ଏବେ ପାଠ୍ୟ ପୁସ୍ତକରେ ସ୍ଥାନିତ ହୋଇଛି ।

୨ଶହ ବର୍ଷ ପୂର୍ତୀ ପାଳନ ପାଇଁ ନୂଆଦିଲ୍ଲୀରେ ଆୟୋଜିତ ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ଆନ୍ଦୋଳନ ବୋଲି ସ୍ୱୀକାର କରିଛନ୍ତି । ଏହି ସଂଗ୍ରାମର ସ୍ମୃତିରେ ଡାକଟିକଟ ଓ ମୁଦ୍ରା ମଧ୍ୟ ଉନ୍ମୋଚିତ ହୋଇଛି । ଏବେ ସ୍ଥାପନା ହେବାକୁ ଯାଉଥିବା ଏହି ସ୍ମାରକ ସ୍ଥଳ, ପରବର୍ତ୍ତି ପିଢ଼ି ପାଇଁ ଉତ୍କଳର ଗାରିମାମୟ ଇତିହାସର ମୁକସାକ୍ଷୀ ହୋଇରହିବ ।