ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । କାଲି ପାଇକ ବିଦ୍ରୋହ ସ୍ମାରକୀର କରିବେ ଶିଳାନ୍ୟାସ, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉତ୍ସବରେ ହେବେ ସାମିଲ ।

405

କନକ ବ୍ୟୁରୋ : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି  ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭୁବନେଶ୍ୱରରେ ପହଂଚିଛନ୍ତି । ବାୟୁସେନାର ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ଶନିବାର ରାତି ୭ଟା ୧୫ରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ପରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ ଜଣାଇଛନ୍ତି । ସେହିଭଳି ରାଷ୍ଟ୍ରପତିଙ୍କୁ ଝାଡ଼ଖଣ୍ଡ ରାଜ୍ୟପାଳ ଦୌପଦୀ ମୁର୍ମୁ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ସ୍ୱାଗତ ଜଣାଇଛନ୍ତି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିମାନବନ୍ଦରରୁ ସିଧାସଳଖ ରାଜଭବନ ଯିବେ।  ସେଠାରେ ସେ ଆଜି ରାତ୍ରୀଯାପନ କରିବେ। ରାଷ୍ଟ୍ରପତି ରବିବାର ଭୁବନେଶ୍ୱର ଓ ଖୋର୍ଦ୍ଧାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । କାଲି ରାଷ୍ଟ୍ରପତି ପାଇକ ବିଦ୍ରୋହ ସ୍ମାରକୀର କରିବେ ଶିଳାନ୍ୟାସ । ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉତ୍ସବରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।