କନକ ବ୍ୟୁରୋ : ଓଡିଶା...ମୋ ଓଡିଶା । ଉତ୍କଳ, କଳିଙ୍ଗ, ଉଡ୍ର । କେତେବେଳେ କେଉଁ ନାଁ ରହିଆସିଛି । ହେଲେ ସବୁବେଳେ ଗୋଟିଏ ସ୍ୱୀକୃତି ମିଳିଛି, ଉକ୍ରର୍ଷ କଳାର ରାଜ୍ୟ ଉକ୍ରଳ, ସାହାସୀ ମାନଙ୍କର ରାଜ୍ୟ କଳିଙ୍ଗ । ଶତ୍ରୁର ନିଦ ହଜାଇ ଗଂଗାଠାରୁ ଗୋଦାବରୀ ଯାଏଁ ଜୟ କରିଥିବା, ଦୁର୍ଦ୍ଧର୍ଷ ପାଇକ ପୁଅର ମାଟି ଓଡିଶା । ଦରିଆ ବୁକୁରେ ବୋଇତ ମେଲେଇ ବିଦେଶରୁ ଧନରତ୍ନ ବୋହିଆଣୁଥିବା ସାଧବ ପୁଅର ମାଟି ଓଡିଶା ।

Advertisment

ଏ ଜାତି ଧର୍ମପଦର, ବାଜି ରାଉତର, ଗୋପବନ୍ଧୁଙ୍କର, ସେବାର, ତ୍ୟାଗର, କଳା, ସଂସ୍କୃତି ଐତିହ୍ୟର । ଆମେ ପ୍ରତିଟି ଓଡିଆ ଗର୍ବ କରୁ, ଦେଶର ପ୍ରଥମ ଭାଷା ଭିତ୍ତିକ ସ୍ୱତନ୍ତ୍ର ରାଜ୍ୟ ହେଉଛି ଆମ ରାଜ୍ୟ, ଓଡିଶା । ଷଢେଇକଳା, ଖରସୁଆଁ, ସିଂହଭୂମ ଆଦି ଛଡେଇନେଇ ଚକ୍ରାନ୍ତକାରୀ ଇଂରେଜ ସରକାର ୧୯୩୬ରେ ଆମକୁ ଅଧା ଖଣ୍ଡିଆ ରାଜ୍ୟଟିଏ ଧରାଇଦେଇଥିଲେ ସତ, କିନ୍ତୁ ଆଜି ସେଇ ଓଡିଶା ଉନ୍ନତିର ଶିଖରରେ । ସବୁଠି ଓଡିଆଙ୍କ ଜୟଜୟକାର । ରାଜନୀତି, କ୍ରିଡା, ବିଜ୍ଞାନ, ସାହିତ୍ୟ ପ୍ରତିଟି କ୍ଷେତ୍ରରେ ଆଜି ଜାତୀୟ ସ୍ତରରେ ପ୍ରତିଷ୍ଠିତ ଓଡିଆ ।

ଆଜି ଉତ୍କଳ ଦିବସ । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୃହମନ୍ତ୍ରୀ ଅମିତ ଶାହ ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିସାବାସୀଙ୍କ ସୁଖ ସମୃଦ୍ଧି କାମନା କରି ଶୁଭେଚ୍ଛା ଜଣାଇଛନ୍ତି ।

ରାଷ୍ଟ୍ରପତି ଟୁଇଟ୍ କରି କହିଛନ୍ତି, ପ୍ରଚୁର ପ୍ରାକୃତିକ ସମ୍ପଦ ଏବଂ ଦକ୍ଷ ଓ କର୍ମଠ ଲୋକଶକ୍ତି ଆଧାରରେ ଓଡ଼ିଶା, ଆମ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧିର ଇଞ୍ଜିନ୍ ହେବାରେ ସାମର୍ଥ୍ୟ ବହନ କରେ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଓଡ଼ିଆ ଭାଷାରେ ଟୁଇଟ୍‌ କରି ଲେଖିଛନ୍ତି: ଉତ୍କଳ ଦିବସର ହାର୍ଦ୍ଦିକ ଶୁଭେଚ୍ଛା । ଏହି ଦିନ ଆମ ଦେଶର ପ୍ରଗତିରେ ଓଡ଼ିଶା, ଓଡ଼ିଆ ଜନସାଧାରଣ ଏବଂ ସଂସ୍କୃତିର ସମୃଦ୍ଧ ଅବଦାନକୁ ଜାଣିବାର ଅବସର। ଓଡ଼ିଶାବାସୀଙ୍କ ଉତ୍ତମ ସ୍ବାସ୍ଥ୍ୟ ଏବଂ ସମୃଦ୍ଧି କାମନା କରୁଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶା ଦିବସ ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଏହି ଅବସରରେ ମୋର ସମ୍ମାନ ଜଣାଉଛି। ଆସନ୍ତୁ ଓଡ଼ିଆ ଜାତିର ଅସ୍ମିତା ଓ ସ୍ଵାଭିମାନକୁ ବଜାୟ ରଖି ଏକ ନୂଆ ଓଡ଼ିଶା, ଉଚ୍ଚାକାଂକ୍ଷୀ ଓଡ଼ିଶା ଗଠନ ଦିଗରେ ସଙ୍କଳ୍ପବଦ୍ଧ ହୋଇ ଆଗକୁ ବଢିବା’।