କନକ ବ୍ୟୁରୋ: କୁହାଯାଏ ଚେଷ୍ଟା କଲେ କିଛି ଅସମ୍ଭବ ନୁହେଁ । କଷ୍ଟ କଲେ ଜଣେ ମଣିଷ ନିଶ୍ଚୟ ନିଜ ଲକ୍ଷ୍ୟ ପଥରେ ପହଞ୍ଚିଯିବ । ଆଉ ଏହି କଥାକୁ ଏବେ ସତ କରି ଦେଖାଇଛନ୍ତି ଜଣେ ୬୪ ବର୍ଷୀୟ ବୃଦ୍ଧ । ସେ ନିଜେ ପାଠ ପଢିନଥିଲେ, ହେଲେ ଶିକ୍ଷା କ୍ଷେତ୍ରରେ ତାଙ୍କର ଯୋଗଦାନ ପାଇଁ ତାଙ୍କୁ ମିଳିଛି ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ନିଜ ହାତରେ ଦେଇଛନ୍ତି ଏହି ସମ୍ମାନ ।

Advertisment

କର୍ଣ୍ଣାଟକର ହରେକାଲା ହଜ୍ଜବା ତାଙ୍କ ଅଞ୍ଚଳରେ ‘ଅକ୍ଷର ସନ୍ଥ’ ନାମରେ ବେଶ ଜଣାଶୁଣା । ତାଙ୍କ ଗାଁ ନାଁ ହେଉଛି ନ୍ୟୁପାଡାପୁ । ଯେଉଁଠି ସ୍ୱାଧୀନତାର ବହୁ ବର୍ଷ ପରେ ସ୍କୁଲଟିଏ ମଧ୍ୟ ଖୋଲିପାରିନଥିଲା । ଏହାର ଫଳସ୍ୱରୂପ ସ୍କୁଲ ଯାଇ ପାଠ ପଢିପାରିନଥିଲେ ହରେକାଲା । ପାଠ ନପଢିବା କାରଣରୁ ସେ ତାଙ୍କ ଅଞ୍ଚଳରେ ଗୋଟିଏ ଫଳ ଦୋକାନ ଖୋଲି ସେଠାରେ କମଳା ବିକ୍ରି କରୁଥିଲେ । ହେଲେ ଦିନେ କିଛି ବିଦେଶୀ ତାଙ୍କ ଫଳର ଦାମ ପଚାରିବାରୁ ସେ ଇଂରାଜୀରେ କହିପାରିନଥିଲେ । ଆଉ ଏହି କଥା ତାଙ୍କୁ ବହୁତ ଦୁଃଖ ଦେଇଥିଲା ।

ଏହାପରେ ସେ ଯେଉଁ ଶିକ୍ଷାଠୁ ଦୂରରେ ରହିଯାଇଥିଲେ, ସେହି ଶିକ୍ଷାକୁ ତାଙ୍କ ଗାଁର ପ୍ରତିଟି ପିଲାଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିଥିଲେ । ସେ ତାଙ୍କ କଷ୍ଟ ଅର୍ଜିତ ଧନରେ ୨୦୦୦ ମସିହାରେ ନିଜେ ଗୋଟିଏ ସ୍କୁଲ ଖୋଲି ସେଠାରେ ପିଲାଙ୍କ ପାଠ ପଢା ପାଇଁ ବ୍ୟବସ୍ଥା କରିଥିଲେ । ଯେଉଁଠି ଏବେ ତାଙ୍କ ଗାଁର ପିଲାମାନେ ପାଠ ପଢି ଶିକ୍ଷିତ ହୋଇପାରିଛନ୍ତି । ଶିକ୍ଷା କ୍ଷେତ୍ରରେ ତାଙ୍କର ଏହି ଅବଦାନକୁ ସମ୍ମାନ ଜଣାଇ ଆଜି ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ହରେକାଲାଙ୍କୁ ସମ୍ମାନିତ କରିଛନ୍ତି ।