ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ : ସିଂହଦ୍ୱାରରେ ସ୍ୱାଗତ କଲେ ଗଜପତି ମହାରାଜ

154

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗର୍ଭଗୃହରେ ଦର୍ଶନ କରିବା ସହିତ ଭିତରେ ବେଢାରେ ଥିବା ପାର୍ଶ୍ୱ ଦେବାଦେବୀଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପତ୍ନୀ ତଥା ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ । ଉଭୟଙ୍କୁ କୌଳିକ ସେବାୟତମାନେ ପାଛୋଟି ନେଇଥିଲେ ଶ୍ରୀମନ୍ଦିରକୁ ଓ ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ କରାଇଥିଲେ ।

ରାଷ୍ଟ୍ରପତିଙ୍କ କାରକେଡ ଶ୍ରୀମନ୍ଦିର ସମ୍ମୁଖରେ ପହଂଚିବା ପରେ ସିଂହଦ୍ୱାର ଆଗରେ ତାଙ୍କୁ ସ୍ୱାଗତ କରିଥିଲେ ପୁରୀ ମହାରାଜ ଗଜପତି ଦିବ୍ୟସିଂହ ଦେବ । ଏହାପରେ ଶ୍ରୀମନ୍ଦିର ସମ୍ମୁଖରେ ଥିବା ଅସ୍ଥାୟୀ ବିଶ୍ରାମଗାରରେ କିଛି ସମୟ ପାଇଁ ବିଶ୍ରାମ ନେଇଥିଲେ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ । ରାଷ୍ଟ୍ରପତିଙ୍କ ସହ ଉପସ୍ଥିତ ଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ. କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୁରୀ ଓ ବ୍ରହ୍ମଗିରିର ବିଧାୟକ । ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀନମନ୍ଦିର ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ବ୍ୟପକ ବନ୍ଦୋବସ୍ତ କରାଯାଇଥିଲା ।

ତ୍ରିସ୍ତରୀୟ ସୁରକ୍ଷା ଭିତରେ ରାଷ୍ଟ୍ରପତି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ବାୟୁସେନାର ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଂଚିବା ପରେ ସେଠାରେ କାର ଯୋଗେ କଡ଼ା ସୁରକ୍ଷାରେ ଶ୍ରୀମନ୍ଦିର ପହଂଚିଥିଲେ ରାମନାଥ କୋବିନ୍ଦ । ପୁରୀ ଶ୍ରୀମନ୍ଦିର ଦର୍ଶନ ସାରି ରାଷ୍ଟ୍ରପତି କୋଣାର୍କ ସୂର୍ଯ୍ୟ ମନ୍ଦିର ଦର୍ଶନ କରିବା ପାଇଁ କୋଣାର୍କ ଗସ୍ତ କରିବେ ।