ବିଜାପୁର ନକ୍ସଲ କାଣ୍ଡକୁ ନେଇ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି । ନକ୍ସଲଙ୍କ ଆକ୍ରମଣରେ ସହିଦ ଯବାନଙ୍କ ସଂଖ୍ୟା ୨୨କୁ ବୃଦ୍ଧି ।

ବିଜାପୁର ଟେରମ୍ ଜଙ୍ଗଲରେ ଚାଲିଛି ବଡ ଧରଣର ସର୍ଚ୍ଚ ଅପରେସନ

173

କନକ ବ୍ୟୁରୋ: ଛତିଶଗଡ ବିଜାପୁରରେ ନକ୍ସଲ ଆକ୍ରମଣରେ ୨୨ ଜବାନ ସହିଦ ହେବା ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସହିଦ ଯବାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ରାଷ୍ଟ୍ରପତି । ସେପଟେ ନକ୍ସଲଙ୍କ ବର୍ବର କାଣ୍ଡ ପରେ ବିଜାପୁର ଜୋନାଗୁଡା ଜଙ୍ଗଲରେ ଚାଲିଛି ବଡ ଧରଣର ସର୍ଚ୍ଚ ଅପରେସନ୍ । ଆଜି ସକାଳୁ ସୁରକ୍ଷାକର୍ମୀ ବିଜାପୁର ଓ ସୁକୁମାରେ ବଡ ସର୍ଚ୍ଚର୍ ଅପରେସନ୍ ଆରମ୍ଭ କରିଛନ୍ତି । ଏନେଇ ସୂଚନା ଦେବା ସହିତ ସହିଦ ଯବାନଙ୍କ ସଂଖ୍ୟାକୁ ନେଇ ସ୍ପଷ୍ଟ କରିଛନ୍ତି ଛତିଶଗଡ ପୋଲିସ ଡିଜିପି ।

ଗତକାଲି ନକ୍ସଲଙ୍କ ସହିତ ମୁହାଁମୁହିଁ ପରେ ୨ ଯବାନଙ୍କ ମରଶରୀର ଉଦ୍ଧାର ହୋଇଥିଲା । ଆଜି ଆଉ ୨୦ ଯବାନଙ୍କ ମରଶରୀର ଉଦ୍ଧାର ହୋଇଛି । ଫଳରେ ୨୨ କୁ ବୃଦ୍ଧି ହୋଇଛି ସହିଦ ଯବାନଙ୍କ ସଂଖ୍ୟା । ସେହିପରି ୧୫ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଛି । ସହିଦ ଯବାନଙ୍କ ମଧ୍ୟରେ ରହିଛନ୍ତି ସିଆରପିଏଫ୍ ଏବଂ ଛତିଶଗଡ ପୋଲିସର ଯବାନ । ଗତକାଲିର ନକ୍ସଲଙ୍କ ଆଂବୁସ ପରଠାରୁ କିଛି ଯବାନ ନିଖୋଜ ରହିଥିବା ସୂଚନା ମିଳିଛି । ସେମାନଙ୍କୁ ଠାବ କରିବାକୁ ବିଜାପୁରରେ ବଡ ଧରଣର ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି ।

ଛତିଶଗଡରେ ନକ୍ସଲ ବିରୋଧୀ ଅଭିଯାନ ପାଇଁ ଗତକାଲି ବିଜାପୁର ଏବଂ ସୁକମା ଜିଲ୍ଲାର କେନ୍ଦ୍ରୀୟ ପୁଲିସ ବଳ, କୋବ୍ରା ବାଟାଲିଆନ, ଡ଼ିଆରଜି ଏବଂ ଏସଟିଏଫର ମିଳିତ ଟିମ୍ ଚଢଉ କରିଥିଲେ । ଏହି ସମୟରେ ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲେ । ବରିଷ୍ଠ ସୁରକ୍ଷା ଅଧିକାରୀଙ୍କ ସୂଚନା ଅନୁସାରେ ୩୧ ଜଣ ଯବାନ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୫ ଜଣ କୋବ୍ରା ବାଟାଲିୟନ୍ ଯବାନଙ୍କ ଅବସ୍ଥା ଅଧିକ ଗୁରୁତର ରହିଛି ।