କନକ ବ୍ୟୁରୋ : ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅତ୍ୟନ୍ତ ଆଗ୍ରହର ସହ ଖଣ୍ଡଗିରିରେ ଥିବା ଉଦୟଗିରି କୀର୍ତ୍ତିରାଜି ପରିଦର୍ଶନ କରିଛନ୍ତି । ଉଦୟଗିରିର ରାଣୀ ଗୁମ୍ଫା ପରିଭ୍ରମଣ କରିଥିଲେ ମହାମହିମ । ରାଣୀ ଗୁମ୍ଫାର ଉପର ମହଲା ଏବଂ ତଳ ମହଲା ବୁଲି ଦେଖିବା ସହ ରାଣୀ ଗୁମ୍ଫାର କଳା କୀର୍ତ୍ତି ସବୁ ଅବଲୋକନ କରିଛନ୍ତି । ଉଦୟଗିରି ଅଗଣାରେ ଛିଡା ହୋଇ ହାତୀ ଗୁମ୍ଫା ଶିଳା ଲେଖ ଦେଖିଛନ୍ତି ରାଷ୍ଟ୍ରପତି । ପରେ ଉଦୟଗିରି ଗୁମ୍ଫା ସମ୍ମୁଖରେ ବି.କେ. କଲେଜ ଅଫ ଆର୍ଟସ ଏବଂ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଛନ୍ତି ମହାମହିମ ।

Advertisment

ପିଲା ମାନଙ୍କୁ ଭବିଷ୍ୟତ ପାଇଁ ବିଭିନ୍ନ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି । ଛାତ୍ରଛାତ୍ରୀ ମାନେ ଆଙ୍କିଥିବା ଫଟୋ ଚିତ୍ର ଉପହାର ଭାବେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତି । ୩୦ ଘଣ୍ଟା ଧରି କଠିନ ପରିଶ୍ରମ କରି କୋଇଲାରେ ରାଷ୍ଟ୍ରପତିଙ୍କ ଚିତ୍ର ଅଙ୍କିଥିଲେ ଛାତ୍ରୀ ମଧୁସିକ୍ତା ତନୟା ସିଂହ । ସେହିପରି ବିଭିନ୍ନ ରକମର ଖାଦ୍ୟ ଶସ୍ୟ ବ୍ୟବହାର କରି ଦ୍ରୌପଦୀ ମୁର୍ମୁଙ୍କ ଅତି ସୁନ୍ଦର ଫଟୋ ଚିତ୍ର ଆଙ୍କିଥିଲେ ବି.କେ. କଲେଜ ଅଫ ଆର୍ଟସ ଆଣ୍ଡ କ୍ରାଫ୍ଟସର ଛାତ୍ର ମାର୍କଣ୍ଡ ସାଗର । ଯାହାକୁ ଅତ୍ୟନ୍ତ ଖୁସିର ସହ ଗ୍ରହଣ କରିଥିଲେ ରାଷ୍ଟ୍ରପତି ।