କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପି ପାଇଁ ପ୍ରଚାର କରି ଅଡ଼ୁଆରେ ପଡ଼ିଯାଇଛନ୍ତି ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ବାଚନ କମିସନ ଯେଉଁ ସୁପାରିସ କରିଥିଲେ ତାହାର ଅନୁଧ୍ୟାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହା ଉପର ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଲାଗି ସେ ଏହି ସୁପାରିସକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପଠାଇ ଦେଇଛନ୍ତି।ଗତମାସ ୨୩ ତାରିଖରେ ଆଲିଗଡ଼ଠାରେ ରାଜ୍ୟପାଳ ଶ୍ରୀ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସପକ୍ଷରେ ମତ ଦେଇଥିଲେ। କହିଥିଲେ ଯେ ମୋଦୀ ପୁନଃ ନିର୍ବାଚିତ ହୁଅନ୍ତୁ ବୋଲି ସମସ୍ତେ ଚାହାନ୍ତି।
ଏହା ଦେଶ ପାଇଁ ଜରୁରୀ ବୋଲି ସେ ମତ ଦେଇଥିଲେ। ‘ଆମେ ସମେସ୍ତ ବିଜେପି କାର୍ଯ୍ୟକର୍ତା ଏଥିଲାଗି ଉଦ୍ୟମ କରିବା ଉଚିତ’ ବୋଲି ସେ କହିଥିଲେ। ବିଜେପି ପ୍ରାର୍ଥୀ ଚୟନକୁ ନେଇ ଦଳୀୟ କର୍ମୀମାନେ ଅସନ୍ତୋଷ ଜଣାଇବାରୁ କଲ୍ୟାଣ ସିଂହ କହିଥିଲେ, ‘ଆମେ ହେଉଛୁ ବିଜେପି କର୍ମୀ। ଆମର ଉଦ୍ଦେଶ୍ୟ ହେଉଛି ବିଜେପିର ବିଜୟ।’ ତାଙ୍କର ଏହି ମନ୍ତବ୍ୟ ଗଣମାଧ୍ୟମରେ ପ୍ରସାରିତ ହେବାପରେ ନିର୍ବାଚନ କମିସନ ଏହାକୁ ଗୁରୁତ୍ବର ସହ ନେଇଥିଲେ। ରାଜ୍ୟପାଳଙ୍କ ଏହି ମନ୍ତବ୍ୟ ତାଙ୍କ ପଦ ମର୍ଯ୍ୟାଦା ନିୟମର ଉଲ୍ଲଂଘନ କରୁଛି ବୋଲି ନିର୍ବାଚନ କମିସନ ମତ ଦେବା ସହିତ ଏଥିପାଇଁ କଲ୍ୟାଣଙ୍କୁ ଦୋଷୀ ଦର୍ଶାଇଥିଲେ। କମିସନ ଏ ସମ୍ପର୍କରେ ରାଷ୍ଟ୍ରପତିଙ୍କ ନିକଟକୁ ପତ୍ର ଲେଖିଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଦେଶ ଗସ୍ତରୁ ଫେରିବା ପରେ ଏହି ରିପୋର୍ଟକୁ ଗୃହ ମନ୍ତ୍ରଣାଳୟ ନିକଟକୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଇ ଦେଇଛନ୍ତି। କୌଣସି ଦଳ ବା ପ୍ରଧାନମନ୍ତ୍ରୀଙ୍କ ସପକ୍ଷରେ ରାଜ୍ୟପାଳ ପ୍ରଚାର କରିବା ଭାରତୀୟ ଇତିହାସରେ ଏକ ବିରଳ ଘଟଣା।
ରାଜ୍ୟପାଳଙ୍କ ପ୍ରତି ନିର୍ବାଚନ ଆଚରଣବିଧି ଲାଗୁ ହେଉ ନଥିଲେ ମଧ୍ୟ ସାମ୍ବିଧାନିକ ପଦରେ ଥାଇ କୌଣସି ବ୍ୟକ୍ତିଙ୍କୁ ନିର୍ବାଚନରେ ପ୍ରଚାର କରିବାକୁ ଅନୁମତି ଦିଆଯାଇ ନାହିଁ ବୋଲି ରାଷ୍ଟ୍ରପତିଙ୍କ ଅଫିସ ପକ୍ଷରୁ କୁହାଯାଇଛି। ୮୭ ବର୍ଷୀୟ କଲ୍ୟାଣ ସିଂହ ୨୦୧୪ରେ ରାଜ୍ୟପାଳ ଦାୟିତ୍ବ ଗ୍ରହଣ କରିଥିଲେ। ୧୯୯୨ରେ ଅଯୋଧ୍ୟାରେ ବାବ୍ରୀ ମସଜିଦ୍ ଭଙ୍ଗ ବେଳେ ସେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ। ଉଲ୍ଲେଖଯୋଗ୍ୟ ନବେ ଦଶକରେ ହିମାଚଳ ପ୍ରଦେଶର ତତ୍କାଳୀନ ରାଜ୍ୟପାଳ ଗୁଲସର ଅହମ୍ମଦ ଆଦର୍ଶ ଆଚରଣବିଧି ଉଲ୍ଲଂଘନ କରିଥିଲେ। ମଧ୍ୟପ୍ରଦେଶରେ ସେ ତାଙ୍କ ପୁଅ ସୟିଦ ଅହମ୍ମଦଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ। ଏଥିପାଇଁ ନିର୍ବାଚନ କମିସନ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହାପରେ ଗୁଲସର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ।/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/Modi-and-kalyan-singh.jpg)