କନକ ବ୍ୟୁରୋ: ବଲିଉଡ୍ ଫିଲ୍ମ ‘ଗଦ୍ଦର-୨’ ଦେଖିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭବନରେ ହେବ ଗଦ୍ଦର-୨ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ । ଏନେଇ ନିଜେ ଫିଲ୍ମର ନିର୍ଦ୍ଦେଶକ ଅନିଲ ଶର୍ମା ସୂଚନା ଦେଇଛନ୍ତି । ତାଙ୍କ କହିବା ମୁତାବକ, ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଫିଲ୍ମ ଦେଖିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

Advertisment

ସୂଚନାଯୋଗ୍ୟ ଯେ, ସନ୍ନି ଦେଓଲଙ୍କ ଅଭିନୀତ ଏହି ଫିଲ୍ମ ଏବେ ବକ୍ସ ଅଫିସରେ ଧମାଲ ମଚାଉଚି । ସମସ୍ତେ ତାରା ସିଂହ ଏବଂ ସକିନାଙ୍କ କଥା କହୁଥିବାବେଳେ, ଫିଲ୍ମରେ ତାରା ସିଂହଙ୍କ ଚରିତ୍ର ନିଭେଇଥିବା ସନ୍ନି ଦେଓଲଙ୍କ ଦମଦାର ଡାଏଲଗ ଦର୍ଶକଙ୍କ ହୃଦୟ ଜିତିଛି । ତେବେ ଏହାରି ଭିତରେ ଖୋଦ୍ ଦେଶର ମହାମହିମ ରାଷ୍ଟ୍ରପତି ଏହି ଫିଲ୍ମକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିବା, ଏହି ଫିଲ୍ମର କ୍ରେଜକୁ ଆହୁରି ଅଧିକ ବଢାଇ ଦେଇଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ, ଅନୀଲ ଶର୍ମାଙ୍କୁ ପ୍ରଥମେ ସେନସର୍ ବୋର୍ଡ ତରଫରୁ ଫୋନ୍ ଆସିଥିଲା । ଯାହା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଫିଲ୍ମ ଦେଖିବାକୁ ଇଚ୍ଛା କରିଥିବା ତାଙ୍କୁ କୁହାଯାଇଥିଲା । ଏହି ଖବର ପାଇବା ପରେ ଫିଲ୍ମର ନିର୍ଦ୍ଦେଶକଙ୍କ ସହିତ କ୍ରିଉ ମେମ୍ବରଙ୍କ ଭିତରେ ଉତ୍ସାହ ଖେଳିଯାଇଥିଲା । ତେବେ ଏତିପାଇଁ ତାଙ୍କୁ ରାଷ୍ଟ୍ରପତି ଭବନକୁ ମଧ୍ୟ ନିମନ୍ତ୍ରଣ ମିଳିଛି ।

ସୂଚନାଯୋଗ୍ୟ ଯେ, ୨୦୦୧ରେ ଗଦ୍ଦର ଫିଲ୍ମର ପ୍ରଥମ ଭାଗ ରିଲିଜ୍ ହେଇଥିଲା । ଯେଉଁଥିରେ ସନ୍ନି ଦେଓଲ ଏବଂ ଅମିଷା ପଟେଲଙ୍କ ଅଭିନୟକୁ ସମସ୍ତେ ପସନ୍ଦ କରିଥିଲେ । ଖାଲି ସେତିକି ନୁହେଁ, ଫିଲ୍ମର ଗୀତ ମଧ୍ୟ ସେତେବେଳେ ବେଶ ଚର୍ଚ୍ଚା ସାଉଣ୍ଟିଥିଲା । ଆଉ ଏବେ ଫିଲ୍ମର ଦ୍ୱିତୀୟ ଭାଗ ମଧ୍ୟ ପ୍ରଥମ ଭାଗ ଭଳି ଚର୍ଚ୍ଚା ସାଉଣ୍ଟିବାରେ ସଫଳ ହେଇଛି ।