ଓଡିଶା ଗସ୍ତରେ ଦ୍ୱିତୀୟ ଦିନରେ କେନ୍ଦୁଝର ଯିବେ ମହାମହିମ । କଦଳୀବାରି ଯାଇ ଆଦିବାସୀଙ୍କୁ ଭେଟିବେ । ସନ୍ଧ୍ୟାରେ ଆସିବେ ଭୁବନେଶ୍ୱର

ସନ୍ଧ୍ୟାରେ ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ହେବେ ସାମିଲ

157

କନକ ବ୍ୟୁରୋ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତର ଆଜି ଦ୍ୱିତୀୟ ଦିନ । ଆଜି ମହାମହିମ କେନ୍ଦୁଝର ଗସ୍ତରେ ଯିବା କାର୍ଯ୍ୟକ୍ରମ ରହିଛି । ସକାଳେ ରାଷ୍ଟ୍ରପତି ପ୍ରଥମେ କେନ୍ଦୁଝର ଗସ୍ତରେ ଆସି ଧରଣୀଧର ବିଶ୍ୱବିଦ୍ୟାଳୟର ଜାତୀୟ ସେମିନାରକୁ ଉଦଘାଟନ କରିବା ସହ କଦଳୀବାରୀ ଗାଁର ଆଦିବାସୀ ସମ୍ପ୍ରଦାୟର ଲୋକମାନଙ୍କୁ ସାକ୍ଷାତ କରିବେ । ପରେ ଅପରାହ୍ନରେ ଭୁବନେଶ୍ୱର ଗସ୍ତରେ ଆସି ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ସୂଚନା ଅନୁସାରେ ଆଜି ସକାଳ ୯ଟା ୧୫ ମିନିଟରେ ରାଇରଙ୍ଗପୁର ଇରିଗେସନ ଗେଷ୍ଟ ହାଉସରୁ ଦାଣ୍ଡପୋଷ ହେଲିପ୍ୟାଡ ବାହାରିବେ ରାଷ୍ଟ୍ରପତି । ବାୟୁସେନାର ଆଇଏଏମଏଫ ଏମଆଇ-୧୭ ଜରିଆରେ କେନ୍ଦୁଝର ରାଇସୁଆଁ ଅଭିମୁଖେ ଯାତ୍ରା କରିବେ । ପୂର୍ବାହ୍ନ ୧୦ଟା ୫୦ ମିନିଟରେ ରାଇସୁଆଁରେ ପହଞ୍ଚିବା ପରେ ସଡକ ପଥରେ ଗୋନାସିକା ଯିବେ । ଏହାପରେ ମଧ୍ୟାହ୍ନ ୧୨ଟା ୧୦ ମିନିଟରେ କଦଳୀବାରୀ ଗାଁରେ ପହଞ୍ଚି, ଆଦିବାସୀ ସମ୍ପ୍ରଦାୟର ଲୋକମାନଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ଣ ୧ଟା ୪୦ ମିନିଟରେ କେନ୍ଦୁଝର ସର୍କିଟ ହାଉସରେ ପହଞ୍ଚି ମଧ୍ୟାହ୍ନ ଭୋଜନ କରିବା ସହ କିଛି ସମୟ ବିଶ୍ରାମ ନେବେ । ଅପରାହ୍ଣ ୩ଟାରେ ଧରଣୀଧର ବିଶ୍ୱବିଦ୍ୟାଳୟରେ ସେଠାରେ ହେବାକୁ ଥିବା ଜାତୀୟ ସେମିନାରକୁ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ଅପରାହ୍ଣ ୪ଟାରେ କେନ୍ଦୁଝର ରାଇସୁଆଁ ଏୟାରଷ୍ଟ୍ରିପରୁ ଭୁବନେଶ୍ୱର ବିମାନ ବନ୍ଦରକୁ ଆସିବେ । ସନ୍ଧ୍ୟା ସାଢେ ୫ଟାରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପହଞ୍ଚି ସମାବର୍ତ୍ତନ ଉତ୍ସବରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପ୍ରତିଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି କେନ୍ଦୁଝର, ଭୁବନେଶ୍ୱରରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି ।