କନକ ବ୍ୟୁରୋ : ପ୍ରକୃତରେ ମା’ ହିଁ ପ୍ରଥମ ଗୁୁରୁ । ଘରୁ ପଡ଼ିଥାଏ ଶିକ୍ଷାର ମୂଳଦୂଆ । ସମାଜ ଗଠନରେ ଶିକ୍ଷାର ଭୂମିକା ସମ୍ପର୍କରେ ରାଷ୍ଟ୍ରପତି ଯେତେବେଳେ ଆଲୋକପାତ କରୁଥିଲେ, ସେତେବେଳେ ମା’ ଓ ମାତୃଭାଷାକୁ ଶୀର୍ଷରେ ରଖିଥିଲେ । ଅବସର ଥିଲା- ନୂଆ ଭାରତ, ନୂଆ ଶିକ୍ଷା ନୀତି କାର୍ଯ୍ୟକ୍ରମ । ସମ୍ବଲପୁରରେ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମାଜ ଓ ଦେଶର ପରିର୍ବତନ ପାଇଁ ଶିକ୍ଷାର ଭୂମିକା ସମ୍ପର୍କରେ କହିଥିଲେ ମହାମହିମ ରାଷ୍ଟ୍ରପତି । ଶିକ୍ଷା କିଭଳି, ସେବା, ସମାନତା ଓ ସହାନୁଭୁତି ଭଳି ନୈତିକ ଓ ମାନବିକ ମୂଲ୍ୟବୋଧର ଆଧାର ପକାଇଥାଏ, ତାହା ଅତି ସୁନ୍ଦର ଓ ସରଳ ଢ଼ଙ୍ଗରେ ଉପସ୍ଥାପନ କରିଥିଲେ ଦ୍ରୌପଦୀ ମୁର୍ମୁ ।
ସମାଜରେ ସକରାତ୍ମକ ପରିବର୍ତନ ଆଣିବାରେ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଦ୍ୟାଳୟ ପକ୍ଷରୁ ହେଉଥିବା ଉଦ୍ୟମକୁ ରାଷ୍ଟ୍ରପତିଙ୍କ ଭଳି ରାଜ୍ୟପାଳ ରଘୁବର ଦାସ ମଧ୍ୟ ପ୍ରଶଂସା କରିଥିଲେ ।
ସମ୍ବଲପୁର ଗସ୍ତର ଦ୍ୱିତୀୟ ଦିନରେ ବ୍ରହ୍ମାକୁମାରୀଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁୁକୁନି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
୩ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ମୟୁରଭଞ୍ଜ ଓ ସମ୍ବଲପୁର ଜିଲ୍ଳାକୁ ଯାଇଥିଲେ । ଜନ୍ମମାଟି ମୟୁରଭଞ୍ଜରେ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବା ସହ ବାଦାମପାହାଡ଼ରୁ ୩ଟି ଟ୍ରେନ୍ର ଶୁଭାରମ୍ଭ କରିଥିଲେ । ସେହିପରି ସମ୍ବଲପୁରରେ ଭିସୁଟ୍ ସମାବର୍ତନ ଉତ୍ସବରେ ସାମିଲ୍ ହେବା ପରେ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିଥିଲେ ।