ମୟୂରଭଞ୍ଜରେ ନୂଆ ରେଳ ସଂଯୋଗର ସେତୁ ଯୋଡିଲେ ରାଷ୍ଟ୍ରପତି । ବାଦାମପାହାଡରୁ ଗଡିଲା ତିନୋଟି ଟ୍ରେନ୍ । ସ୍କୁଲ ପିଲାଙ୍କ ସହ ଯାତ୍ରା କଲେ ଦ୍ରୌପଦୀ ମୁର୍ମୁ

436

କନକ ବ୍ୟୁରୋ : ମହାମହିମ ରାଷ୍ଟ୍ରପତିଙ୍କ ସବୁଜ ସଙ୍କେତ, ସମ୍ପର୍କ ସହ ରେଳ ସଂଯୋଗକୁ ଆହୁରି ବ୍ୟାପକ କରିଛି । ଗୋଟିଏ ଦିନରେ ବାଦାମପାହାଡ଼ ଷ୍ଟେସନରୁ ଗଡ଼ିଛି ତିନି-ତିନିଟି ନୂଆ ଟ୍ରେନ୍ । ବାଦାମପାହାଡ଼-ଟାଟାନଗର ମେମୁ, ବାଦାମପାହାଡ଼- ରାଉରକେଲା ସାପ୍ତାହିକ ଏକ୍ସପ୍ରେସ୍ ଏବଂ ବାଦାମପାହାଡ଼-ଶାଲିମାର ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନର ଉଦ୍ଘାଟନ କରିଛନ୍ତି ।

ଏହି ଟ୍ରେନ୍ ଉଦଘାଟନ କାର୍ଯ୍ୟକ୍ରମ, ଏଥିପାଇଁ ହୁଏତ ସବୁଦିନ ମନେ ରହିବ, କାହିଁକି ନା’ ରାଷ୍ଟ୍ରପତି ଖୋଦ୍ ବାଦାମପାହାଡରୁ ରାଇରଙ୍ଗପୁର ଯାଏଁ ଯାତ୍ରା କରିଥିଲେ । ରାଷ୍ଟ୍ରପତିଙ୍କ ସହ ୩ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡୁ ମଧ୍ୟ ସହଯାତ୍ରୀ ଭାବେ ଏଥିରେ ସାମିଲ ହୋଇଥିଲେ । ତେବେ ଏ ସବୁଠୁ ଆକର୍ଷଣୀୟ ଥିଲା ସ୍କୁଲ ପିଲାଙ୍କ ଟ୍ରେନ୍ ଯାତ୍ରା । ବିଭିନ୍ନ ସ୍କୁଲରୁ ମନୋନୀତ ହୋଇଆସିଥିବା ଛାତ୍ରଛାତ୍ରୀ, ରାଷ୍ଟ୍ରପତିଙ୍କ ସହ ଟ୍ରେନ୍ ଯାତ୍ରା କରିଥିଲେ ।

ଏହା ପୂର୍ବରୁ ପାହାଡପୁରରେ ପହଞ୍ଚି ମୁର୍ମୁ ଛକରେ ସ୍ୱର୍ଗତ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତି ଉନ୍ମୋଚନ କରିଛନ୍ତି ଦ୍ରୌପଦୀ ମୁର୍ମୁ । ସ୍ୱାମୀଙ୍କ ପ୍ରତିମୂର୍ତିରେ ମାଲ୍ୟର୍ପଣ କରିଛନ୍ତି ରାଷ୍ଟ୍ରପତି । ଏହା ପରେ ଏଲଆଣ୍ଡଟି ଦ୍ୱାରା ପରିଚାଳିତ ହେବାକୁ ଥିବା ଦକ୍ଷତା ବିକାଶ କେନ୍ଦ୍ରକୁ ଉଦଘାଟନ କରିବା ସହ ଏସଏଲଏସ୍ ମେମୋରିଆଲ୍ ସ୍କୁଲକୁ ଯାଇଛନ୍ତି । ଆଉ ଏସବୁ ଭିତରେ ବାଦାମପାହାଡ଼ରୁ ରାଇରଙ୍ଗପୁର ଷ୍ଟେସନକୁ ୩୨ କିଲୋମିଟର, ଛାତ୍ରଛାତ୍ରୀଙ୍କ ସହ ଟ୍ରେନରେ ଯାତ୍ରା କରିଛନ୍ତି ରାଷ୍ଟ୍ରପତି ।

ତେବେ ମୟୁରଭଞ୍ଜ ଗସ୍ତ ସାରି ଦୁଇ ଦିନିଆ ସମ୍ବଲପୁର ଗସ୍ତରେ ପହଞ୍ଚିଛନ୍ତି ଦ୍ରୌପଦୀ ମୁର୍ମୁ । ବୁର୍ଲା ଭିସୁଟର ୧୫ତମ ସମାବର୍ତ୍ତନ ଉତ୍ସବରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି । ଏହାପରେ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିଛନ୍ତି ମହାମହିମ ।