ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ । କହିଲେ, ପେପର ଲିକ୍ ଘଟଣାର ହେବ ନିରପେକ୍ଷ ଯାଞ୍ଚ । ଦୋଷୀଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ ।

117

କନକ ବ୍ୟୁରୋ : ସଂସଦର ଉଭୟ ଗୃହକୁ ମିଳିତ ଭାବେ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମୟରେ ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି । ଏହା ଉପରେ ନିରପେକ୍ଷ ଯାଞ୍ଚ ଚାଲିଥିବା ବେଳେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର ସରକାର ପ୍ରତିଶ୍ରୃତିବଦ୍ଧ ବୋଲି ରାଷ୍ଟ୍ରପତି କହିଛନ୍ତି ।

ପୂର୍ବରୁ ମଧ୍ୟ ଅନେକ ସମୟରେ ବିଭିନ୍ନ ରାଜ୍ୟରେ ପେପର ଲିକ୍ ଅଭିଯୋଗ ସାମ୍ନାକୁ ଆସିଛି । ରାଜନୈତିକ ଦଳ ଗୁଡିକ ଏହି ପ୍ରସଙ୍ଗ ଉପରେ ରାଜନୀତି କରିବା ବଦଳରେ ସରକାରଙ୍କ ସହ ମିଶି ଏହାର ସମାଧାନ ଦିଗରେ କାର୍ଯ୍ୟ କରିବା ଉଚିତ୍ ବୋଲି ରାଷ୍ଟ୍ରପତି ଅନୁରୋଧ କରିଛନ୍ତି ।

ଏହାସହ ନିଜ ଅଭିଭାଷଣରେ ରାଷ୍ଟ୍ରପତି କହିଛନ୍ତି, କେନ୍ଦ୍ର ସରକାର ସମସ୍ତ କ୍ଷେତ୍ରକୁ ଶକ୍ତିଶାଳୀ କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ଗତ ୧୦ ବର୍ଷ ହେବ ଗ୍ରାମୀଣ ଅର୍ଥବ୍ୟବସ୍ଥାରେ ଉନ୍ନତି ଆଣିବା ଦିଗରେ ଜୋର ଦେଉଛନ୍ତି ସରକାର । ଏବେ ସରକାର ଭାରତକୁ ବିଶ୍ୱର ତୃତୀୟ ବୃହତ୍ତ ଅର୍ଥନୀତି ଭାବେ ଆଗକୁ ନେବାକୁ ଅଗ୍ରସର ହେଉଛନ୍ତି । ଚାଷୀଙ୍କୁ ଆର୍ଥିକ ସ୍ୱଚ୍ଛଳ କରିବାକୁ ଖରିଫ ଫସଲ ଉପରେ ଏମଏସପି ବୃଦ୍ଧି କରିଛନ୍ତି ସରକାର । ସରକାରୀ ଯୋଜନାର ସମସ୍ତ ଲାଭ ସାଧାରଣ ଲୋକଙ୍କ ପାଖରେ ପହଞ୍ଚୁଛି ।