କନକ ବ୍ୟୁରୋ : ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଭବ୍ୟ ଆୟୋଜନ କରାଯାଇଛି । କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହେବେ । ଏହା ଭବ୍ୟ ଉତ୍ସବର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଶୁଭକାମନା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାସହ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦେଖିବାର ସୌଭାଗ୍ୟ ମିଳିବା ନେଇ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୧୧ ଦିନର ବ୍ରତ ପାଳନ ସମସ୍ତଙ୍କ ପାଇଁ ପ୍ରେରଣା । ଆଉ ଏହା ଭଗବାନ ଶ୍ରୀରାମଙ୍କ ପ୍ରତି ଆପଣଙ୍କ ସମର୍ପଣ ଭାବନାକୁ ଦର୍ଶାଉଛି ।

Advertisment

ଚିଠିରେ ରାଷ୍ଟ୍ରପତି ଆହୁରି ଲେଖିଛନ୍ତି, ଭଗବାନ ଶ୍ରୀରାମ ଆମ ସଂସ୍କୃତି ଓ ଆଧ୍ୟାତ୍ମିକ ଚିନ୍ତାଧାରାର ପ୍ରତୀକ । ମହାତ୍ମା ଗାନ୍ଧୀ ପିଲାଦିନରୁ ରାମ ନାମର ଆଶ୍ରୟ ନେଇଥିଲେ ଏବଂ ଶେଷ ନିଶ୍ୱାସ ପର୍ୟ୍ୟନ୍ତ ରାମ ନାମ ତାଙ୍କ ମୁହଁରୁ ବାହାରିଥିଲା । ତେଣୁ ସମସ୍ତେ ଶ୍ରୀରାମଙ୍କ ଭଳି ସାମାଜିକ ପୃଷ୍ଠଭୂମିକୁ ଭୁଲି, ଭେଦଭାବ ଭୁଲି ସମସ୍ତଙ୍କୁ ପ୍ରେମ ଓ ସମ୍ମାନର ସହ ବ୍ୟବହାର କରିବା କାମନା କରିଛନ୍ତି ରାଷ୍ଟ୍ରପତି ।