ଜନ୍ମମାଟିରେ ମହାମହିମ । ରାଷ୍ଟ୍ରପତିଙ୍କ ଝଲକ ପାଇବା ପାଇଁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ, ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘର ବାର୍ଷିକ ଉତ୍ସବରେ ହେଲେ ସାମିଲ୍
କନକ ବ୍ୟୁରୋ : ଜନ୍ମମାଟିରେ ଯେତେବେଳେ ମ୍ୟାଡମ୍ ରାଷ୍ଟ୍ରପତିଙ୍କ ପାଦ ପଡ଼ୁଥିଲା, ତାଙ୍କ ଉପରେ ଅଟକି ରହିଥିଲା ସମସ୍ତଙ୍କ ନଜର । ଯଦିଓ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଦ୍ୱିତୀୟ ଥର ପାଇଁ ମୟୁରଭଞ୍ଜରେ ପହଂଚୁଥିଲେ, ତଥାପି ଜନ୍ମଭୂମିକୁ ପହଂଚିବାର ଉତ୍ସାହ ସ୍ପଷ୍ଟ ବାରି ହୋଇପଡ଼ିୁଥିଲା । ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଟୁ ଓ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ସ୍ୱାଗତ କରି ରାଷ୍ଟ୍ରପତିଙ୍କୁ ପାଛୋଟି ଆଣିଥିଲେ ।

Kanak News is now on WhatsApp
Join and get latest news updates delivered to you via WhatsApp
ସେଠାରୁ ସହିଦ ସ୍ମୃତି ଭବନରେ ଆୟୋଜିତ ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘର ୩୬ତମ ବାର୍ଷିକ ଉତ୍ସବରେ ସାମିଲ୍ ହୋଇଥିଲେ ରାଷ୍ଟ୍ରପତି । ସାନ୍ତାଳୀ ଭାଷାଭାଷୀ ଲେଖକଙ୍କୁ ଉତ୍ସାହିତ କରିବା ସହ ସାହିତ୍ୟକୁ ଆହୁରି ସମୃୃଦ୍ଧ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏପରିକି ରାଷ୍ଟ୍ରପତି ନିଜେ ସାନ୍ତାଳୀ ଭଷାରେ ସମ୍ବୋଧନ କରିଥିଲେ ।
କୁଳିଅଣା ବ୍ଲକର ଏକଲବ୍ୟ ମଡେଲ ଆବାସିକ ସ୍କୁଲର ଉଦଘାଟନ କରିବା ପୂର୍ବରୁ ବାରିପଦାରେ ମଧ୍ୟାନ୍ନ ଭୋଜନ କରିଥିଲେ ରାଷ୍ଟ୍ରପତି । ଏଥିରେ ଜହ୍ନି ତରକାରୀ, ପରିବା ସିଝା, ତୁଆ ଶାଗ, ହରଡ଼ ଡାଲି, ବାଜରା ରୁଟି , ମୁଗେଇ ଚାଉଳର ଭାତ, ମିଠା ଦହି, ଗ୍ରୀନ ସାଲାଡ୍, ପାମ୍ପଡ, ରସମଲେଇ ଇତ୍ୟାଦି ଭୋଜନ କରିଥିଲେ । ତେବେ ରାଷ୍ଟ୍ରପତିଙ୍କ ଗୋଟିଏ ଝଲକ ପାଇବା ପାଇଁ ରାସ୍ତାର ଦୁଇ କଡ଼ରେ ଲୋକ ଅପେକ୍ଷା କରିଥିଲେ । ରାଷ୍ଟ୍ରପତିଙ୍କୁ ଅତି ନିକଟରୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।
ମଙ୍ଗଳବାର ପୂର୍ବାହ୍ନରେ ରାଷ୍ଟ୍ରପତି ମୟୁରଭଞ୍ଜର ପାହାଡ଼ପୁର ଗାଁରେ ପହଂଚିବେ । ସେଠି ରାଷ୍ଟ୍ରପତି ସ୍ୱର୍ଗତ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତୀରେ ଶ୍ରଦ୍ଧାଞ୍ଜଳି ଦେବେ । ଏହା ପରେ ପ୍ରୟାସ ଟ୍ରଷ୍ଟ ଦ୍ୱାରା ନିର୍ମିତ ଏକ ଦକ୍ଷତା ବିକାଶ କେନ୍ଦ୍ରର ଉଦଘାଟନ କରିବେ । ସେହିପରି ଏସ୍ଏଲ୍ଏସ୍ ମେମୋରିଆଲ୍ ଆବାସିକ ସ୍କୁଲ ପରିସରକୁ ଯିବେ । ସେଠି ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କୁ ସମ୍ବୋଧିତ କରିବେ । ବଡ଼କଥା ହେଉଛି-ବାଦାମପାହାଡ଼ରୁ ରାଇରଙ୍ଗପୁର ଷ୍ଟେସନକୁ ୩୨ କିଲୋମିଟର, ଛାତ୍ରଛାତ୍ରୀଙ୍କ ସହ ଟ୍ରେନ୍ରେ ଯାତ୍ରା କରିବେ ରାଷ୍ଟ୍ରପତି ।
ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ ଯେତେବେଳେ ମୟୁରଭଞ୍ଜକୁ ଆସିଥିଲେ, ସେତେବେଳେ ଯେଉଁ ଉତ୍ସାହ ଥିଲା । ଦ୍ୱିତୀୟ ଥର ଗସ୍ତ ସମୟରେ ମଧ୍ୟ ରାଷ୍ଟପତିଙ୍କୁ ନେଇ ସେଇ ଉତ୍ସାହ ଓ ଉଦ୍ଦିପନା ଦେଖିବାକୁ ମିଳିଛି ।