ପାରାଦୀପରେ ବୋଇତ ବନ୍ଦାଣ ଉତ୍ସବର ଉଦଘାଟନ କଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ବୋଇତରେ ବସିଲେ, ନୌବାଣିଜ୍ୟ ଇତିହାସକୁ ମନେ ପକାଇଲେ

105

କନକ ବ୍ୟୁରୋ : ଅତୀତରେ ହଜି ଯାଇଥିବା ସେଇ ସ୍ମୃତି, ସେମିତି ଅଭୁଲା ଓ ଅକ୍ଷତ ହୋଇରହିଛି । ହୋଇପାରେ, ସେ ସାଧବ ନାହାଁନ୍ତି, ସେଭଳି ନୌବାଣିଜ୍ୟ ପରମ୍ପରା ନାହିଁ । କିନ୍ତୁ ଆମ ପୂର୍ବ ପୁରୁଷଙ୍କ ଦାନକୁ ଆମେ ଆଜି ବି ସାଇତି ରଖିଛୁ ।

ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଯେତେବେଳେ ଜାହାଜରେ ବସି ଜଳଯାତ୍ରା କରୁଥିଲେ, ସେତେବେଳେ ଅତୀତର ସେଇ ପୁରୁଣା ସ୍ମୃତି ପୁଣି ଥରେ ଜୀବନ୍ତ ହୋଇଯାଇଥିଲା । ସାଧବ ପୁଅଙ୍କ ସାଧନାକୁ ଯେମିତି ସମସ୍ତେ ସଲାମ୍ କରୁଥିଲେ ।

ଐତିହାସିକ ବୋଇତ ବନ୍ଦାଣ ଉତ୍ସବର ଉଦ୍ଘାଟନ କରିବା ସହ ମହାମହିମ ରାଷ୍ଟ୍ରପତି, ଓଡ଼ିଶାର ନୌବାଣିଜ୍ୟ ପରମ୍ପରା ସୁବର୍ଣ୍ଣ ଇତିହାସକୁ ମନେପକାଇଥିଲେ । ସମୁଦ୍ର କେମିତି ମଣିଷକୁ ସଂବୃଦ୍ଧ କରିଛି । ଭାରତର ସଂସ୍କୃତିକୁ ରୁଦ୍ଧିମନ୍ତ କରିଛି, ସେ ଉପରେ ଆଲୋକପାତ କରିଥିଲେ ଦ୍ରୌପଦି ମୁର୍ମୁ । ସେହିପରି ସମୁଦ୍ର କେବଳ ବ୍ୟବସାୟ କିମ୍ବା ବାଣିଜ୍ୟ ଉପରେ ସୀମିତ ନଥିଲା ବରଂ ଏହା ବୈଦେଶିକ ସମ୍ପର୍କକୁ ମଜବୁତ କରିଛି ବୋଲି ରାଷ୍ଟ୍ରପତି କହିଥିଲେ ।

ରାଷ୍ଟ୍ରପତିଙ୍କ ପାରାଦୀପ ଗସ୍ତକୁ ନେଇ ଜନତାଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିିଳିଥିଲା । ପାଦରେ ଚାଲି ଚାଲି ଜନତାଙ୍କ ଅଭିଭାଦନ ଗ୍ରହଣ କରିଥିଲେ ରାଷ୍ଟ୍ରପତି । ଏମିତି କି ରାସ୍ତାରେ କୁନି କୁନି ପିଲାଙ୍କୁ ଭେଟିଥିଲେ । ପିଲାଙ୍କୁ ଚକୋଲେଟ୍ ବାଂଟିବାର ମଧ୍ୟ ଦେଖିବାକୁ ମିଳିଥିଲା । ମହାମହିମଙ୍କ ଗସ୍ତକୁ ନେଇ ସଜେଇ ହୋଇଥିଲା ବନ୍ଦର ନଗରୀ । ସାଧାରଣ ଜନତା ଓ ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ବିପୁଳ ସ୍ୱାଗତ କରାଯାଇଥିଲା ।

ପାରାଦୀପରେ ବୋଇତ ବନ୍ଦାଣ ଉତ୍ସବରେ ସାମିଲ୍ ହୋଇ ଭୁବନେଶ୍ୱର ଫେରି ଆସିଥିଲେ ରାଷ୍ଟ୍ରପତି । ସନ୍ଧ୍ୟାରେ ସମସ୍ତ କାର୍ଯ୍ୟକ୍ରମ ସାରି ଦିଲ୍ଲୀ ଫେରି ଯାଇଥିଲେ । ବିମାନବନ୍ଦରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ମେୟାର ପ୍ରମୁଖ ଉପସ୍ଥିତ ରହି ମେଲାଣି ଦେଇଥିଲେ ।