କନକ ବ୍ୟୁରୋ : ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଠାରେ ଏକଲବ୍ୟ ଆବାସିକ ବିଦ୍ୟାଳୟକୁ ଉଦଘାଟନ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଏହି ଅବସରରେ ରାଷ୍ଟ୍ରପତି କହିଥିଲେ କି, ପିଲାଦିନେ ତାଙ୍କ ଘର ନିକଟରେ କୌଣସି ବିଦ୍ୟାଳୟ ନଥିଲା । ତେଣୁ ପାଠ ପଢିବା ପାଇଁ ତାଙ୍କୁ ଘର ଠାରୁ ଅନେକ ଦୂରକୁ ଯିବାକୁ ପଡିଥିଲା । ସେ ଆହୁରି କହିଥିଲେ କି ଘର ପାଖରେ ବିଦ୍ୟାଳୟ ନଥିବାରୁ ସେହି ସମୟରେ ଅନେକ ପିଲା ପାଠ ପଢାରୁ ବଞ୍ଚିତ ହୋଇଥିଲେ । ଏହି ସମସ୍ୟା ଆଜି ଦେଖିବାକୁ ମିଳୁନାହିଁ । ଏକଲବ୍ୟ ଆବାସିକ ବିଦ୍ୟାଳୟ ଖୋଲିବା ଦ୍ୱାରା ସ୍ଥାନୀୟ ପିଲାମାନେ ଏବେ ଶିକ୍ଷାର ଅଧିକ ସୁଯୋଗ ପାଇବେ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି ।
ରାଷ୍ଟ୍ରପତି କହିଛନ୍ତି, ଶିକ୍ଷା ହେଉଛି ଆର୍ଥିକ ଏବଂ ସାମାଜିକ କଲ୍ୟାଣର ଚାବିକାଠି । ସେ ଅବିଭାବକମାନଙ୍କୁ ନିଜ ପିଲାମାନଙ୍କୁ ପାଠ ପଢାଇବାକୁ ପରାମର୍ଶ ଦେଇଥିଲେ ।

Kanak News is now on WhatsApp
Join and get latest news updates delivered to you via WhatsApp
ପିଲାମାନଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ ଯେ, ସେମାନଙ୍କ ଭଳି ସେ ମଧ୍ୟ ଏକ ସାଧାରଣ ପୃଷ୍ଟଭୂମିରୁ ଆସିଛନ୍ତି । ପାଠପଢା ଯୋଗୁଁ ସେ ନାଗରିକଙ୍କ ସେବା କରିବାର ସୁଯୋଗ ପାଇଥିଲେ । ଶିକ୍ଷା ସେମାନଙ୍କୁ ସଫଳ କରିବ ବୋଲି ରାଷ୍ଟ୍ରପତି କହିଥିଲେ । ଜଣେ ଶିକ୍ଷିତ ବ୍ୟକ୍ତି ଭାବେ ସେମାନେ ନିଜ ବିକାଶ ସହିତ ଦେଶ ଓ ସମାଜର ପ୍ରଗତୀରେ ଯୋଗଦାନ ଦେଇପାରିବେ ।
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରେଳ, ଜାତୀୟ ରାଜପଥ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇ ଦେବାପାଇଁ ଭାରତ ସରକାର ବିଭିନ୍ନ ମନ୍ତ୍ରଣାଳୟ ଜରିଆରେ ବହୁମୂଖୀ ଯୋଜନା ଆରମ୍ଭ କରିଛନ୍ତି ବୋଲି ରାଷ୍ଟ୍ରପତି କହିଥିଲେ । ଆଦିବାସୀ ପିଲାଙ୍କ ପାଇଁ ସମଗ୍ର ଦେଶରେ ୭୦୦ ରୁ ଅଧିକ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଥିବାରୁ ସେ ଆନନ୍ଦିତ ହୋଇଥିଲେ । ସେ କହିଥିଲେ ଯେ ଏହି ବିଦ୍ୟାଳୟଗୁଡିକରେ ସମଗ୍ର ଭାରତରେ ୩.୫୮ ଲକ୍ଷରୁ ଅଧିକ ଆଦିବାସୀ ଛାତ୍ର ଛାତ୍ରୀ ଗୁଣାତ୍ମକ ଶିକ୍ଷା ପାଇବା ସହ ସମାଜ ଏବଂ ରାଷ୍ଟ୍ରର ବିକାଶରେ ଯୋଗଦାନ କରିବାକୁ ସକ୍ଷମ ହେବେ ।