ପିଲାଙ୍କୁ ଦେଖି ଅଟକିଗଲେ, ଖୁସିରେ ଚକଲେଟ ବାଣ୍ଟିଲେ । ରାଷ୍ଟ୍ରପତିଙ୍କ ଠାରୁ ଉପହାର ପାଇ ଖୁସିରେ ଆତ୍ମହରା ଗାଁର ପିଲା ।

302

କନକ ବ୍ୟୁରୋ: ସ୍ନେହମୟୀ ରାଷ୍ଟ୍ରପତି… କୁନି କୁନି ପିଲାଙ୍କୁ ଭାରି ଭଲ ପାଆନ୍ତି । କେବେ ଚକଲେଟ୍ ତ କେବେ ମିଠା ଦିଅନ୍ତି । ପିଲାଙ୍କ ପ୍ରିୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅବସର ଥିଲା ଜନ୍ମମାଟିକୁ ଗସ୍ତ । ରାଷ୍ଟ୍ରପତି ହେବାର ଦୀର୍ଘ ବର୍ଷକ ପରେ ଯେତେବେଳେ ମୟୂରଭଞ୍ଜ ମାଟିରେ ମହାମହିମ ପାଦ ଦେଇଥିଲେ । ସେତେବେଳେ ଉତ୍ସବମୁଖର ହୋଇଥିଲା ପୂରା ପରିବେଶ । ମାଟିର ଝିଅ, ଗାଁର ବୋହୂ, ଓଡିଶାର ଗର୍ବ- ଗୌରବ ବାଦାମପାହାଡ ହେଲିପ୍ୟାଡରେ ପହଞ୍ଚିବା ପରେ କରାଯାଇଥିଲା ଭବ୍ୟ ସ୍ୱାଗତ । ରାଷ୍ଟ୍ରପତିଙ୍କୁ ଦେଖିବା ପାଇଁ ଏକାଠି ହୋଇଥିଲେ ଅନେକ ଲୋକ । ରାଷ୍ଟ୍ରପତି ମଧ୍ୟ ଚାଲି ଚାଲି ହାତ ହଲାଇ ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ ।

ମହାମହିମ ଗୋଷାଣୀରେ ପହଞ୍ଚିବା ପରେ ହିଁ ଦେଖିବାକୁ ମିଳିଥିଲା ନିଆରା ଦୃଶ୍ୟ । ଗାଁ ଲୋକଙ୍କ ସହ ମିଶି ମନଭରି କଥା ହେଉଥିବା ବେଳେ କୁନି କୁନି ପିଲାଙ୍କୁ ଦେଖି ନିଜ ଖୁସି ଜାହିର କରିଥିଲେ ସ୍ନେହୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଉ ତାଙ୍କୁ ଦେଖିବାକୁ ଆସିଥିବା ପିଲାଙ୍କୁ ନିଜ ହାତରେ ବଢାଇ ଦେଇଥିଲେ ଚକଲେଟ । ମହାମହିମଙ୍କ ଠାରୁ ଉପହାର ପାଇ ବେଶ୍ ଖୁସି ଥିଲେ ପିଲାମାନେ । ନିଜ ମାଟିରେ ଥିବାରୁ ମୁହଁରେ ସ୍ମିତହାସ୍ୟ ନେଇ ସ୍ଥାନୀୟ ଲୋକଙ୍କୁ ଭେଟୁଥିଲେ, ସେମାନଙ୍କ ସହ କଥା ହେଉଥିଲେ ଆଉ ସାଥିରେ ଉପହାର ଭାବେ ଆଣିଥିବା ଚାଦର ଓ ଶାଢୀ ବି ସ୍ଥାନୀୟଲୋକଙ୍କୁ ଦେଇଥିଲେ ।

ରାଇରାଙ୍ଗପୁରରେ କୁନି କୁନି ପିଲାଙ୍କୁ ଭେଟି ବେଶ୍ ଖୁସିଥିବା ରାଷ୍ଟ୍ରପତି ଯୁଆଡେ ଯାଆନ୍ତି ପିଲାଙ୍କ ସହ ସମୟ ଅତିବାହିତ କରନ୍ତି । ଯାହା ତାଙ୍କ ସ୍ନେହବତ୍ସଳ ବ୍ୟକ୍ତିତ୍ୱର ପରିଚୟ ଦିଏ । ଖାଲି ମୟୂରଭଞ୍ଜ ଗସ୍ତ ବେଳେ ନୁହେଁ ପୂର୍ବରୁ ଓଡିଶା ଗସ୍ତରେ ଆସି ପିଲାଙ୍କ ସହ ନିଆରା ମୁହୂର୍ତ୍ତ କାଟିଛନ୍ତି ମହାମହିମ । ପୁରୀ ବଡଡାଣ୍ଡରେ ସ୍କୁଲ ପିଲାଙ୍କ ସହ ମିଶିବା, ପିଲାଙ୍କ ସହ ସେଲ୍ଫି ନେବା ଏବଂ ଲିଙ୍ଗରାଜ ଯିବା ବାଟରେ କୁନି ଝିଅଠାରୁ ଗୋଲାପ ନେବା ଘଟଣା ବେଶ୍ ଚର୍ଚ୍ଚାରେ ଥିଲା । ତେବେ ପିଲାଙ୍କ ପ୍ରେମ ଓ ଭଲପାଇବା ଆଗରେ ଅନେକ ଥର ପ୍ରୋଟକଲ୍ ଭାଙ୍ଗି କୁନିକୁନି ପିଲାଙ୍କ ସହ ମିଶନ୍ତି ମହାମହିମ । ଯାହା ତାଙ୍କୁ ସବୁବେଳେ ନିଆରା କରିଛି ।