କନକ ବ୍ୟୁରୋ : ରାଷ୍ଟ୍ରପତି ଭାବେ ଦେଶର ଦାୟୀତ୍ୱ ନେବା ପରେ ତୃତୀୟ ଥର ପାଇଁ ଜନ୍ମ ମାଟି ମୟୁରଭଞ୍ଜରେ ପହଂଚିଛନ୍ତି ମହାମହିମ । ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଖିଚିଂର ପାଣ୍ଡରଶିଳ ଗାଁରେ ଥିବା ହେଲିପ୍ୟାଡରେ ଅବତରଣ କରିଥିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହେଲିକପ୍ଟର । ସେଠାରୁ କଡ଼ା ସୁରକ୍ଷା ଭିତରେ ରାଷ୍ଟ୍ରପତି ଖିଚିଂରେ ପହଂଚିଥିଲେ । ଖିଚିଂରେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଭବ୍ୟ ଅୟୋଜନ କରାଯାଇଥିଲା । ସେଠି ପହଂଚିବା ପରେ ରାଷ୍ଟ୍ରପତି ଖିଚିଂର ମା’ କିଚକେଶ୍ୱରୀଙ୍କୁ ଦର୍ଶନ କରିଥିଲେ । ମା’ଙ୍କ ପୂଜାର୍ଚ୍ଚନା କରିବା ସହ ମନ୍ଦିରରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ରଘୁବର ଦାସ ମଧ୍ୟ ଉପସ୍ଥିତ ଥିଲେ ।

ଖିଚିଂର କିଚକେଶ୍ୱରୀ ମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ପ୍ରସାଦ ସେବନର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ପ୍ରସାଦରେ ମହାମହିମଙ୍କ ପାଇଁ ଖେଚୁଡ଼ି, କାନିକା, ଅରୁଆ ଭାତ, ବେଶର, ଲେଉଟିଆ ସାଗ, ଖଟା, ପାଏସ, କ୍ଷୀରା ଓ ବଡ଼ି ଚୁୁରା ବ୍ୟବସ୍ଥା କରାଯାଇଥିଲା । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଏବଂ ଅନ୍ୟାନ୍ୟ ଅତିଥିମାନେ ପ୍ରସାଦ ସେବନ କରିଥିଲେ ।

ମା’ କିଚକେଶ୍ୱରୀଙ୍କୁ ଦର୍ଶନ କରିବା ପରେ ରାଇରଙ୍ଗପୁର ଦାଣ୍ଡପୋଷ ଅଭିମୁଖେ ଯାତ୍ରା କରିଥିଲେ ରାଷ୍ଟ୍ରପତି । ସେଠାରେ କେନ୍ଦ୍ରୀୟ ବିଦ୍ୟାଳୟ ପାଶ୍ୱର୍ରେ ନିର୍ମାଣ ହେବାକୁ ଥିବା ହଲିଡେ ହୋମର ଭିତିପ୍ରସ୍ଥର ସ୍ଥାପନ ସହିତ ଭିସି ଜରିଆରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଥିଲେ ।

ଶେଷରେ ରାଇରଙ୍ଗପୁର ମହୁଲଡିଆ ସ୍ଥିତ ବାସଭବନକୁ ଯାଇ ସମ୍ପକୀୟଙ୍କୁ ଭେଟିବା ପରେ ରାତ୍ରି ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି । ଆଉ ଆସନ୍ତାକାଲି ଗୁରୁବାର କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ସାମିଲ ହେବେ ।