ସ୍କୁଲକୁ ଗଲେ, ଚୁନିକୁ ଖୋଜିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜାଣନ୍ତୁ, ଏହି ଚୁନି କିଏ?

2,087

କନକ ବ୍ୟୁରୋ: ସମୟ ବଦଳିଛି, ଏହା ଭିତରେ ବିତିଯାଇଛି ଅନେକ ବର୍ଷ । ହେଲେ ବନ୍ଧୁତାର ରଜ୍ଜୁ ଆଜି ବି ସେମିତି ମଜଭୁତ ରହିଛି । ଆଉ ରାଷ୍ଟ୍ରପତି ଯେତେବେଳେ ୟୁନିଟ୍-୨ ବାଳିକା ଉଚ୍ଚ ବିଦ୍ୟାଳୟରେ ପହଞ୍ଚିଥିଲେ, ନିଜର ପୁରୁଣା ବନ୍ଧୁଙ୍କୁ ଖୋଜି ବସିଥିଲେ । ପିଲା ଦିନର ସାଙ୍ଗମାନଙ୍କ ଚେହେରା ଚିହ୍ନୁ ଚିହ୍ନୁ ହଠାତ୍ ପଚାରଥିିଲେ ଚୁନି କାହିଁ?

ବିତିଯାଇଥିବା ଦିନ ହୁଏତ ଫେରିବନି, କିନ୍ତୁ ପୁରୁଣା ଦିନର ସ୍ମୃତିକୁ ସାଉଁଟି ଧରିବାର ସୁଯୋଗକୁ ହାତ ଛଡ଼ା କରି ନାହାଁନ୍ତି ମହାମହିମ । ଏହି ସ୍କୁଲର ପ୍ରତିଟି କୋଣ ସହ ପରିଚିତ ଦେଶର ପ୍ରଥମ ନାଗରିକ । ଦ୍ରୌପଦୀ ମୁର୍ମୁ ଯେତେବେଳେ ନିଜେ ପଢ଼ିଥିବା ସ୍କୁଲରେ ପହଞ୍ଚିଥିଲେ, ଅତି ଭାବବିହ୍ୱଳ ହୋଇଯାଇଥିଲେ । ପିଲା ଦିନର ସାଙ୍ଗମାନଙ୍କ ଚେହେରା ଚିହ୍ନୁ ଚିହ୍ନୁ ହଠାତ୍ ପଚାରିଲେ ଚୁନି କାହିଁ?

  • କିଏ ସେ ଚୁନି ?
  • କାହିଁକି ଚୁନିଙ୍କୁ ଖୋଜୁଥିଲେ ରାଷ୍ଟ୍ରପତି ?

ଚୁନି ହେଉଛନ୍ତି ତାଙ୍କ ପିଲାଦିନ ସାଙ୍ଗ । ଯାହାଙ୍କ ସହ ଭୁବନେଶ୍ୱରର ଏହି ୟୁନିଟ-୨ ଗାର୍ଲସ ହାଇସ୍କୁଲରେ ପାଠ ପଢ଼ୁଥିଲେ । ରାଷ୍ଟପ୍ରତିଙ୍କ ମୁହୁଁରୁ ଚୁନିଙ୍କ କଥା ଶୁଣି ଭାବପ୍ରବଣ ହୋଇଯାଇଥିଲେ ସହପାଠୀ । କାରଣ, ଦେଶର ଶୀର୍ଷ ଆସନରେ ବସିବା ପରେ ବି ରାଷ୍ଟ୍ରପତି ତାଙ୍କ ପିଲାଦିନ ଓ ସ୍କୁଲ ସାଙ୍ଗସାଥୀଙ୍କୁ ଭୁଲି ନଥିଲେ । ଯାହା ରାଷ୍ଟ୍ରପତିଙ୍କ ଏହି ପ୍ରଶ୍ନରୁ ସ୍ପଷ୍ଟ ବାରି ହୋଇପଡ଼ୁଥିଲା ।

ୟୁନିଟ-୨ ଗାର୍ଲସ ହାଇସ୍କୁଲର କୁନ୍ତଳା କୁମାରୀ ସାବତ, ଛାତ୍ରୀ ନିବାସରେ ରହୁଥିବା ବେଳେ ଚିନ୍ମୟୀଙ୍କ ସହ ଦ୍ରୌପଦୀ ମୁର୍ମୁଙ୍କ ଘନିଷ୍ଠତା ବଢ଼ିଥିଲା । ଏହି ସମ୍ପର୍କ ନିବିଡ଼ ହେବା ପଛରେ ବି କାରଣ ଥିଲା । ସେ ହଷ୍ଟେଲରେ ରହୁଥିବା ସମୟରେ ହଷ୍ଟେଲର ଇନଚାର୍ଜ ଥିଲେ ଶାନ୍ତିଲତା ଗୋଚ୍ଛାୟତ । ଶାନ୍ତିଲତାଙ୍କୁ ଯଶୋଦା ମା’ ଭଳି ମାନୁଥିଲେ ଦୌପଦୀ । ଆଉ ଏହି ଶାନ୍ତିଲତା ମ୍ୟାଡମଙ୍କ ଝିଅ ହେଉଛନ୍ତି- ଚିନ୍ମୟୀ ବା ଚିନୁ । ସ୍କୁଲ ଦିନରେ ଚିନ୍ମୟୀ ଓ ତାଙ୍କ ଭଉଣୀ ତନ୍ମୟୀଙ୍କ ସହ ଦୌପଦୀ ମୁର୍ମୁଙ୍କ ନିବିଡ଼ତା ବଢ଼ିଥିଲା ।

ତେବେ ପିଲାଦିନର ସାଙ୍ଗକୁ ଛୋଟ ପିଲାଟିଏ ଭଳି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଖୋଜିବା, ତାଙ୍କ ସରଳ ବ୍ୟକ୍ତିତ୍ୱର ପରିଚୟ ଦେଉଛି । ନହେଲେ, ଏତେ ବଡ଼ ଆସନରେ ବସିଥିବା ମହାମହିମ, ଗୋଟି ଗୋଟି କରି ସମସ୍ତ ସାଙ୍ଗଙ୍କୁ ଚିହ୍ନିଥାନ୍ତେ କେମିତି ଏବଂ ଅନୁପସ୍ଥିତ ସାଙ୍ଗଙ୍କୁ ଖୋଜିଥାନ୍ତେ କେମିତି ?