ସରକାର ଗଢ଼ିବା ପାଇଁ ଆମନ୍ତ୍ରଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ଏନଡିଏ ସଂସଦୀୟ ଦଳ ନେତା ହେବା ପରେ ସରକାର ଗଢିବାକୁ ଦାବି ଜଣାଇଥିଲେ ନରେନ୍ଦ୍ର ମୋଦୀ

396

କନକ ବ୍ୟୁରୋ: ମୋଦୀ ସରକାରର ତୃତୀୟ ପାଳିର ଆରମ୍ଭ ହେବାକୁ ଯାଉଛି । ଆଜି ସରକାର ଗଠନ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦାବିପତ୍ର ଦେଇଛି ଏନଡିଏ । ସମର୍ଥକ ସାଂସଦଙ୍କ ଏକ ତାଲିକା ଦେବା ସହ ସରକାର ଗଠନ ପାଇଁ ଦାବି କରାଯାଇଛି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତିଙ୍କ ସହ ଏକ ସୌଜନ୍ୟମୂଲକ ସାକ୍ଷାତ ମଧ୍ୟ କରିଛନ୍ତି । ଆଉ ଏହି ସବୁ ପ୍ରକିୟା ଭିତରେ ଆସନ୍ତା ୯ ତାରିଖରେ ହେବ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବ । ତେବେ ଏହା ପୂର୍ବରୁ ଏନଡିଏ’ର ସଂଦୀୟ ଦଳ ନେତା ଭାବେ ମୋଦୀଙ୍କ ନାଁ ନିର୍ବାଚିତ ହୋଇଛି ।

ନରେନ୍ଦ୍ର ମୋଦୀ, ଏନଡିଏ’ର ସଂସଦୀୟ ଦଳର ନେତା ନିର୍ବାଚିତ ହେବା ସହ ତୃତୀୟ ପାଳି ସରକାର ଗଠନର ପ୍ରକ୍ରିୟା ଆରମ୍ଭ ହୋଇଛି । ବିଜେପି ତଥା ଏନଡିଏ’ର ନେତାଭାବେ ରାଜନାଥ ସିଂ, ମୋଦୀଙ୍କ ନାମ ପ୍ରସ୍ତାବ ଦେବା ପରେ ଅମିତ ଶାହା ଏବଂ ନୀତିନ ଗଡ଼କରୀ ସମର୍ଥନ ଜଣାଇଥିଲେ । ଆଉ ଏହା ପରେ ଏନଡିଏର ସହଯୋଗୀ ଦଳର ମୁଖ୍ୟମାନେ ସମର୍ଥନ ଜଣାଇ ମୋଦୀଙ୍କୁ ନିଜ ନେତା ଭାବେ ବାଛିଛନ୍ତି ।

ମୋଦୀଙ୍କ ଶପଥ ଗ୍ରହଣ ପୂର୍ବରୁ ସଂସଦଭବନ ସେଂଟ୍ରାଲ ହଲରେ ବସିଥିଲା ଏନଡିଏ ସଂସଦୀୟ ବୈଠକ । ଯେଉଁଥିରେ ନରେନ୍ଦ୍ର ମୋଦୀ, ଜେପି ନଡ୍ଡା, ରାଜନାଥ ସିଂଙ୍କ ସମେତ ଏନଡିଏ ସହଯୋଗୀ ଦଳର ନେତା ଓ ନବନିର୍ବାଚିତ ସାଂସଦ ପ୍ରମୁଖ ସାମିଲ ହୋଇଥିଲେ । ଏହି ଅବସରରେ ଜେଡିୟୁ ମୁଖ୍ୟ ନୀତିଶ କୁମାର କହିଥିଲେ, ମୋଦୀଙ୍କୁ କେବେ ହେଲେ ଛାଡ଼ିବେ ନାହିଁ ।

ସେପଟେ ମେଂଟ ସହଯୋଗୀ ଦଳ ଏବଂ ସାଂସଦମାନଙ୍କୁ ସମ୍ବୋଧିତ କରି ମୋଦୀ କହିଛନ୍ତି- ଚଳିତ ନିର୍ବାଚନରେ ଏନଡିଏ’ର ମହାବିଜୟ ହୋଇଛି । ଏନଡିଏ ହେଉଛି ସବୁଠାରୁ ସଫଳ ଆଲାଏନ୍ସ । କୌଣସି ଦଳ ପ୍ରି-ପୋଲ ଆଲାଏନ କରି ଏତେ ସଫଳ ହୋଇନାହିଁ । ଏନଡିଏ କହିବା ଅର୍ଥ ନ୍ୟୁ ଇଣ୍ଡିଆ, ଡେଭଲପ୍ଟ ଇଣ୍ଡିଆ ବୋଲି କହିବା ସହ ବିକାଶର ନୂଆ ଅଧ୍ୟାୟ ଆରମ୍ଭ ହେବ ବୋଲି ନରେନ୍ଦ୍ର ମୋଦୀ କହିଛନ୍ତି ।

ବଡ଼ କଥା ହେଉଛି, ସବୁବେଳେ ବିଜେପି-ବିଜେପି କହୁଥିବା ନେତାଙ୍କୁ ଆଜି ଏନଡିଏ’ର ଗୁଣଗାନ କରୁଥିବା ଦେଖିବାକୁ ମିଳିଥିଲା । ଯଦିଓ ଏନଡିଏ ମେଂଟ ବହୁମତର ସହ ସରକାର ଗଢ଼ୁଛି, ତଥାପି ଲୋକସଭା ନିର୍ବାଚନ ବିଜେପି ୨୪୦ରେ ସୀମିତ ରହିଛି । ଏଭଳି ସ୍ଥିତିରେ ଜେଡିୟୁ, ଟିଡିପି, ଏକାନାଥ ସିନେ୍ଧଙ୍କ ଶିବସେନା ଭଳି ଦଳ ଉପରେ ନିର୍ଭରଶୀଳ ରହୁଛି ମୋଦୀଙ୍କ ତୃତୀୟ ପାଳିର ସରକାର ।