କନକ ବ୍ୟୁରୋ: ଓଡିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଆଜି ଲିଙ୍ଗରାଜ ମନ୍ଦିର ଯାଇ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ । ଏଥିପାଇଁ ମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସକାଳ ୯ଟାରେ ରାଷ୍ଟ୍ରପତି ଲିଙ୍ଗରାଜ ମନ୍ଦିରକୁ ଯିବା କାର୍ଯ୍ୟସୂଚୀ ରହିଛି । ସେଠାରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା, ଜଳାଭିଷେକ କରି ଆଶୀର୍ବାଦ ନେବେ । ମନ୍ଦିର କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡୁ ନିଯୋଗ ସଂପାଦକ କମଳାକାନ୍ତ ବଡୁଙ୍କୁ ରାଷ୍ଟ୍ରପତିଙ୍କ ଜଳାଭିଷେକ ଓ ପୂଜାର୍ଚ୍ଚନରେ ସହାୟତା କରିବେ ।

Advertisment

ଏହି ସମୟରେ ସେବାୟତଙ୍କ ପକ୍ଷରୁ ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରିୟ କୋଠ ଭୋଗ, ମୁଆଁ ଓ କୋରାଖଇ ଭେଟି ଦେବେ ସେବାୟତ । ମନ୍ଦିରରେ ରାଷ୍ଟ୍ରପତି ପ୍ରାୟ ୪୫ ମିନିଟ ରହିବା କାର୍ଯ୍ୟକ୍ରମ ରହିଛି । ଦର୍ଶନ ସାରି ୯ଟା ୫୫ ମିନିଟରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନ ବନ୍ଦର ପହଞ୍ଚିବେ । ଏହାପରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ କଟକ ସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ପହଞ୍ଚିବେ । ସେଠାରେ ଆୟୋଜିତ ଇଣ୍ଡିଆନ ରାଇସ କଂଗ୍ରେସ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ଉଦଘାଟନୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ୧ ଘଣ୍ଟା ରହି ପୁଣି ଭୁବନେଶ୍ୱର ଫେରିଆସି ଅପରାହ୍ନରେ ଦିଲ୍ଲୀ ଫେରିଯିବେ ବୋଲି ସୂଚନା ରହିଛି ।