କନକ ବ୍ୟୁରୋ: ରାଇରଙ୍ଗପୁର ମାଟିର ଝିଅ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ୱାଗତ କରିବା ପାଇଁ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ବାଦାମପାହଡ ହେଲିପ୍ୟାଡରେ ପହଞ୍ଚିବା ପରେ ରାଷ୍ଟ୍ରପତି ସିଧା ନିଜ ଶାଶୁଘର ପାହାଡପୁର ଯାଇଥିଲେ । ଆଉ ନିଜ ଗାଁର ବୋହୂଙ୍କ ଦେଖିବାକୁ ପାହାଡପୁରରୁ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ରାଷ୍ଟ୍ରପତି ମଧ୍ୟ ଚାଲି ଚାଲି ହାତ ହଲାଇ ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ । ଆଉ ଗାଁରେ ପହଞ୍ଚିବା ପରେ ଦ୍ରୌପଦୀ ମୁର୍ମୁଙ୍କ ପାଦ ଧୋଇଦେଇଥିଲେ ଗାଁ ଲୋକେ । ଏହି ସମୟରେ ସେଠାରେ ଭାବବିହ୍ୱଳ ପରିବେଶ ସୃଷ୍ଟି କରିଥିଲା । ପାହାଡପୁରରେ ସ୍ୱାଗତ ପରେ ରାଷ୍ଟ୍ରପତି ସିଧା ଯାଇଥିଲେ ଗୋଷାଣି । ଆଉ ଗୋଷାଣିରେ ସେ ଠାକୁରଙ୍କ ପୂଜାର୍ଚ୍ଚନା କରିଥିଲେ । ଠାକୁରଙ୍କ ପାଖରେ ସଷ୍ଟାଙ୍ଗ ପ୍ରଣିପାତ କରିଥିଲେ ମହାମହିମ ।

Advertisment

ଗୋଷାଣୀରେ ପୂଜାର୍ଚ୍ଚନା ପରେ ସ୍ଥାନୀୟ ଲୋକଙ୍କ ସହ ରାଷ୍ଟପତିଙ୍କ କଥାବାର୍ତାର ଦୃଶ୍ୟ ଥିଲା ବେଶ୍ ଭାବବିହ୍ୱଳ କରିଦେଇଥିଲା । ଲୋକଙ୍କ ସହ ସାନ୍ତାଳୀ ଭାଷାରେ ଭାବର ଆଦାନପ୍ରଦାନ କରିଥିଲେ ମହାମହିମ । ଆଉ ଏହି ସମୟରେ ରାଷ୍ଟ୍ରପତି ସାଥିରେ ଉପହାର ଭାବେ ଆଣିଥିବା ଚାଦର ଓ ଶାଢୀଙ୍କୁ ସ୍ଥାନୀୟଲୋକଙ୍କୁ ଦେଇଥିଲେ । ସ୍ଥାନୀୟଲୋକେ ମଧ୍ୟ ରାଷ୍ଟ୍ରପତିଙ୍କୁ ଉପହାର ଦେଇଥିଲେ । ଏହି ଉପହାରରେ ଥିଲା ଶାଢୀ ଓ ଅନ୍ୟାନ୍ୟ ସାମଗ୍ରୀ ।

ଗସ୍ତବେଳେ ନିଜର ଭାଇ ଓ ସମ୍ପର୍କୀୟଙ୍କୁ ଭେଟିଛନ୍ତି ରାଷ୍ଟ୍ରପତି । ରାଇରଙ୍ଗପୁର ଗସ୍ତ ବେଳେ ନିଜ ସମୁଦିଙ୍କୁ ଭେଟିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମୟରେ ନିଜର ଅନୁଭୂତି ବଖାଣିଛନ୍ତି ରାଷ୍ଟ୍ରପତିଙ୍କ ସମୁଦି । କହିଛନ୍ତି ପୂର୍ବଭଳି ରହିଛି ସମ୍ପର୍କ । ରାଷ୍ଟ୍ରପତି ସବୁଦିନ ସନ୍ଧ୍ୟାରେ ଫୋନ୍ କରି କଥା ହୋଇଥାନ୍ତି ।

ଅପରାହ୍ନରେ ରାଷ୍ଟ୍ରପତି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ବଡବାନ୍ଧରେ ଶହେ ଫୁଟ ଉଚ୍ଚର ଜାତୀୟ ପତାକା ଉତ୍ତୋଳନ କରିଥିଲେ ଦ୍ରୌପଦୀ ମୁର୍ମୁ । ରାଇରଙ୍ଗପୁର ଷ୍ଟାଡିୟମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବେଳେ ଛୋଟ ପିଲା ଗାଁ ମାଟିର ଝିଅଙ୍କୁ ପାଖରୁ ପାଇ ଭାବବିହ୍ୱଳ ହୋଇଥିଲେ ।