ପ୍ରୋଟେମ୍ ସ୍ପିକର ଭାବେ ଭର୍ତୃହରି ମହତାବଙ୍କୁ ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ଆଜି ପ୍ରଧାନମନ୍ତ୍ରୀଙ୍କ ସମେତ ଅଷ୍ଟାଦଶ ଲୋକସଭାର ୨୮୦ ସାଂସଦ ନେଲେ ଶପଥ

174

କନକ ବ୍ୟୁରୋ: ବିବାଦ ଭିତରେ କାମଚଳା ବାଚସ୍ପତି ଭାବେ ଶପଥ ନେଇଛନ୍ତି ଭର୍ତ୍ତୃହରି ମହତାବ । ଆଉ ନୂଆ ସାଂସଦଙ୍କୁ ଶପଥ ପାଠ କରାଇଛନ୍ତି । ଅନ୍ୟପକ୍ଷରେ ପ୍ରୋଟେମ ସ୍ପିକରଙ୍କ ନିଯୁକ୍ତିକୁ ଜୋରଦାର ବିରୋଧ କରିଛି ଇଣ୍ଡି ମେଂଟ । ବରିଷ୍ଠତା ଭିତିରେ କେ. ସୁରେଶଙ୍କୁ କାମଚଳା ବାଚସ୍ପତି ନକରି କାହିଁକି ଭର୍ତ୍ତୃହରିଙ୍କୁ କରାଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଏହାର କଡ଼ା ଜବାବ ରଖିଛି ବିଜେପି ।

ଅନେକ ବାଦ ବିବାଦ ସତ୍ୱେ, କାମଚଳା ବାଚସ୍ପତି ଭାବେ ଶପଥ ନେଇଛନ୍ତି ଭର୍ତ୍ତୃହରି ମହତାବ । କଟକରୁ ସପ୍ତମଥର ପାଇଁ ଅଷ୍ଟାଦଶ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ଏହି ଭେଟେରାନ ନେତା । ୧୯୯୮ରୁ ଲଗାତର ନିର୍ବାଚିତ ହୋଇଆସୁଛନ୍ତି । ବିଜେଡି ଛାଡି ଏଥର ବିଜେପି ଟିକେଟ୍ରେ ଜିତିବା ପରେ, ଲୋକସଭା ବାଚସ୍ପତି ଭାବେ ତାଙ୍କ ନାଁ ରର୍ଚ୍ଚାର ଆଗରେ ରହିଥିଲା । ହେଲେ ତାଙ୍କୁ ପ୍ରୋଟେମ ସ୍ପିକର ବା କାମଚଳା ବାଚସ୍ପତି ଭାବେ ଶପଥ ପାଠ କରାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କାରଣ ପ୍ରଥମଥର ପାଇଁ ଜଣେ ଓଡିଆ ବାଚସ୍ପତିଙ୍କୁ ଶପଥପାଠ କରାଇଛନ୍ତି ଜଣେ ଓଡିଆ ରାଷ୍ଟ୍ରପତି । ନିୟମ ଅନୁସାରେ ଲୋକସଭାର ନବନିର୍ବାଚିତ ସାଂସଦମାନଙ୍କୁ ଶପଥପାଠ କରାଇଛନ୍ତି କାମଚଳା ବାଚସ୍ପତି । ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ପ୍ରଥମ ଦିନରେ ପ୍ରାୟ ୨୮୦ ସାଂସଦଙ୍କୁ ଶପଥ କରାଇଛନ୍ତି ଭର୍ତ୍ତୃହରି ।

ଲୋକସଭା ବାଚସ୍ପତି ନିର୍ବାଚିତ ହେବା ଯାଏଁ ଗୃହକାର୍ଯ୍ୟ ପରିଚାଳନା କରନ୍ତି କାମଚଳା ବାଚସ୍ପତି । ନୂଆ ସାଂସଦମାନଙ୍କୁ ଶପଥ ପାଠ କରିଥାନ୍ତି । ଜୁନ୍ ୨୬ରେ ଅଷ୍ଟାଦଶ ଲୋକସଭାର ବାଚସ୍ପତି ନିର୍ବାଚନ ହେବ । କାମଚଳା ବାଚସ୍ପତି ମଧ୍ୟ ଲୋକସଭା ବାଚସ୍ପତି ଓ ଉପବାଚସ୍ପତି ନିର୍ବାଚନ କରାଇବେ ।

କାମଚଳା ବାଚସ୍ପତି ଭାବେ ଭର୍ତ୍ତୃହରିଙ୍କ ନିଯୁକ୍ତିକୁ ମୂଳର ବିରୋଧ କରିଆସୁଥିବା ଇଣ୍ଡିଆ ମେଂଟର ସାଂସଦମାନେ ମଧ୍ୟ ସଂସଦ ପରିସର ଗାନ୍ଧୀ ମୂର୍ତି ତଳେ ଧରଣା ଦେଇଥିଲେ । ହାତରେ ସମ୍ବିଧାନ ପୁସ୍ତକ ଧରି ପ୍ରତିବାଦ କରିଛନ୍ତି । କାମଚଳା ବାଚସ୍ପତି ନିଯୁକ୍ତିରେ ପରମ୍ପରା ଭଙ୍ଗ ଅଭିଯୋଗ ଆଣିଛନ୍ତି ବିରୋଧୀ ।

ବିିରୋଧୀଙ୍କ ଯୁକ୍ତି
– ପରମ୍ପରା ଭାଙ୍ଗି କାମଚଳା ବାଚସ୍ପତିଙ୍କୁ ନିଯୁକ୍ତି ଦେଇଛି ଶାସକ ମେଂଟ
– ବରିଷ୍ଠତା ଦୃଷ୍ଟିରୁ ୮ ଥରର ସାଂସଦ କେ. ସୁରେଶ ପ୍ରୋଟେମ୍ ସ୍ପିକର ହେବା କଥା

ହେଲେ ଭର୍ତୃହରିଙ୍କ ନିଯୁକ୍ତି ପଛରେ ଯଥେଷ୍ଟ ଯୁକ୍ତି ରହିଥିବା କହିଛି ବିଜେପି । କୌଣସି ନିୟମ ଉଲ୍ଲଂଘନ ହୋଇନଥିବା ଦଳ କହିଛି ।
ବିଜେପିର ଯୁକ୍ତି
– ଭର୍ତୃହରି ମହତାବ ଲଗାତର ୭ଥର ସଂସଦକୁ ନିର୍ବାଚିତ ହୋଇଛନ୍ତି
– କେ. ସୁରେଶ ୧୯୯୮ ଓ ୨୦୦୪ରେ ହାରିଥିବାରୁ ଲଗାତର ୪ଥର ନିର୍ବାଚିତ ହୋଇଛନ୍ତି

କାମଚଳା ବାଚସ୍ପତି ଭାବେ ଭର୍ତୃହରିଙ୍କ ନିଯୁକ୍ତି ପରେ ରାଧାମୋହନ ସିଂ ଓ ଡି. ପୁରନ୍ଦେଶ୍ୱରୀଙ୍କ ନାଁ ଲୋକସଭା ବାଚସ୍ପତି ପଦ ପାଇଁ ଚର୍ଚ୍ଚା ହେଉଛି । ଜୁନ୍ ୨୬ରେ ବାଚସ୍ପତି ଓ ଉପବାଚସ୍ପତି ନିର୍ବାଚନ ପରେ ୨୭ ତାରିଖରେ ସଂସଦର ସ୍ୱତନ୍ତ୍ର ଅଧିବେଶନକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କେନ୍ଦ୍ର ସରକାରଙ୍କ ଆଗାମୀ ୫ ବର୍ଷର ରୋଡମ୍ୟାପ ସଂପର୍କରେ ସୂଚନା ଦେବେ ।