ଆମେରିକା ସଂସଦରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାରିତ : ତଳ ସଦନରେ ବହୁମତରେ ପାସ ହେଲା ପ୍ରସ୍ତାବ

ଜାନୁୟାରୀ ୧୯ରେ ସିନେଟରେ ହେବେ ଆଗତ; ସେପଟେ ଦୁଇ ଥର ମହାଭିଯୋଗ ପ୍ରସ୍ତାବ ଆସିବା ଆମେରିକାର ପ୍ରଥମ ରାଷ୍ଟ୍ରପତି ହେଲେ ଟ୍ରମ୍ପ

113

କନକ ବ୍ୟୁରୋ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାରିତ । ଆମେରିକା ସଂସଦର ହାଉସ ଅଫ ରିପ୍ରେଜେନଟେଟିଭ ବା ଆମେରିକୀୟ ପ୍ରତିିନିଧି ସଭାରେ ବହୁମତରେ ପାରିତ ହୋଇଯାଇଛି । ଟ୍ରମ୍ପଙ୍କ ନାଁରେ ଐତିହାସକି ଦ୍ୱିତୀୟ ମହାଭିଯୋଗ ପ୍ରସ୍ତାବ ଉପରେ ବିତର୍କ ପରେ ହାଉସ ଅଫ ରିପ୍ରେଜେନଟେଟିଭରେ ପାସ ହୋଇଛି । ମହାଭିଯୋଗ ପ୍ରସ୍ତାବ ସପକ୍ଷରେ ୨୩୨ ଭୋଟ ପଡିଥିବା ବେଳେ ବିରୋଧରେ ପଡିଥିଲା ୧୯୭ ଖଣ୍ଡ ଭୋଟ । ୨୨୨ ଡେମୋକ୍ରାଟସ ସାଂସଦ ଓ ୧୦ ଜଣ ରିପବ୍ଲିକାନ ସାଂସଦ ଟ୍ରମ୍ପ ବିରୋଧରେ ମହାଭିଯୋଗ ସପକ୍ଷରେ ଭୋଟ ଦେଇଥିଲେ । ମହାଭିଯୋଗ ପ୍ରସ୍ତାବ ପାସ ପାଇଁ ୨୧୮ ଭୋଟର ଆବଶ୍ୟକତା ଥିବା ବେଳେ ସପକ୍ଷରେ ପଡିଥିଲା ୨୩୨ ଭୋଟ । ଏବେ ସଂସଦର ଉପର ସଦନ ବା ସିନେଟରେ ଜାନୟାରୀ ୧୯ ତାରିଖରେ ମହାଭିଯୋଗ ପ୍ରସ୍ତାବ ଆଗତ ହେବ ।

ତେବେ ହାଉସ ଅଫ ରିପ୍ରେଜେନଟେଟିଭରେ ଡେମୋକ୍ରାଟସ ସଂସଦଙ୍କ ସଂଖ୍ୟା ଅଧିକ ଥିବାରୁ ସହଜରେ ପ୍ରସ୍ତାବ ପାରିତ ହୋଇଛି । ହେଲେ ସିନେଟରେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚଲାଇବା ପାଇଁ ହେଲେ ଦୁଇ-ତୃତୀୟାଂଶ ବହୁମତ ଦରକାର । ଏଥିପାଇଁ ୧୭ ଜଣ ରିପବ୍ଲିକାନ ସାଂସଦଙ୍କୁ ଟ୍ରମ୍ପ ବିରୋଧରେ ଭୋଟ କଲେ ପ୍ରସ୍ତାବ ପାସ ହୋଇପାରିବ । ସଂସଦରେ ଆଲୋଚନା ବେଳେ ଅଧ୍ୟକ୍ଷ ନାନ୍ସି ପେଲୋସି କହିଥିଲେ, ସମସ୍ତେ ଜାଣନ୍ତି ରାଷ୍ଟ୍ରପତି ଟ୍ରମ୍ପ ବିଦ୍ରୋହ ପାଇଁ ସମର୍ଥକଙ୍କୁ ପ୍ରୋତ୍ସାହିତ କଲେ, ରାଷ୍ଟ୍ର ବିରୋଧରେ ସଶସ୍ତ୍ର ବିଦ୍ରୋହ ପାଇଁ ଲୋକଙ୍କୁ ଉସକେଇଲେ. ସେ ଦେଶ ପାଇଁ ବିପଦ । ଏଥିସହ ନାନ୍ସି କହିଛନ୍ତି, ଆମେ ଇତିହାସ ଠାରୁ ଲୁଚି ପାରିବା ନାହିଁ, ତେଣୁ ଆସ ନିଜ ଦାୟିତ୍ୱ ତୁଳାଇବା ଓ ଦେଶ ସାଂସଦଙ୍କ ଉପରେ ଯେଉଁ ବିଶ୍ୱାସ ରଖିଛି ତାହାକୁ ସମ୍ମାନ କରିବା ।

ଆମେରିକା ଇତିହାସରେ ପ୍ରଥମ ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କ ନାଁରେ ଗୋଟିଏ କାର୍ଯ୍ୟକାଳରେ ଦୁଇ ଥର ମହାଭିଯୋଗ ପ୍ରସ୍ତାବ ପାରିତ ହୋଇଛି । ପୂର୍ବରୁ ୨୦୧୯ ଡିସେମ୍ବରରେ ମଧ୍ୟ ଟ୍ରମ୍ପଙ୍କ ନାଁରେ ମହାଭିଯୋଗ ପ୍ରସ୍ତାବ ପାରିତ ହୋଇଥିଲା । ବାଇଡେନଙ୍କ ତଦନ୍ତ ପାଇଁ ୟୁକ୍ରେନକୁ କହି ଆଇନ ଭଙ୍ଗା କରିଥିଲେ ଟ୍ରମ୍ପ । ହେଲେ ସିନେଟ ସେହି ଅଭିଯୋଗରୁ ଟ୍ରମ୍ପଙ୍କୁ ମୁକ୍ତ କରିଦେଇଥିଲା । ଗତ ସୋମବାର ହାଉସ ଅଫ ରିପ୍ରେଜେନଟେଟିଭରେ ଟ୍ରମ୍ପଙ୍କ ନାଁରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯାଇଥିଲା । ଗତ ଜାନୁୟାରୀ ୬ରେ କ୍ୟାପିଟଲ ହିଲ ବା ଆମେରିକା ସଂସଦ ପରିସରରେ ଆକ୍ରମଣ ପାଇଁ ନିଜ ସମର୍ଥକଙ୍କୁ ଉସକେଇଥିବା ଅଭିଯୋଗରେ ଟ୍ରମ୍ପ ବିରୋଧରେ ଏହି ପ୍ରସ୍ତାବ ପାରିତ କରାଯାଇଛି । ଏହି ହିଂସାକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା ।