ଅବହେଳିତ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ କଳାକାର ! ଦୁଃଖ ଦୁର୍ଦ୍ଦିନରେ ବିତୁଛି ମାଗୁଣିଙ୍କ ଦିନ, ସୀକୃତି ଅଛି ହେଲେ ମିଳୁନି ସମ୍ମାନ ।

325

କନକ ବ୍ୟୁରୋ : କେନ୍ଦୁଝର ଅଖ୍ୟାତ ପଲ୍ଲୀର ବିଖ୍ୟାତ ନାଁ ମାଗୁଣି ଚରଣ କୁଅଁର । ଏହି ନାଁ ହୁଏତ କାହା ପାଇଁ ଅଜଣା ନଥିବ । ନିଜର କଳା ବଳରେ ସାରା ଦେଶରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି କେନ୍ଦୁଝରର ମାଗୁଣି କୁଅଁର । ଯିଏକି ଜଣେ କଣ୍ଢେଇ ନାଚ ଶିଳ୍ପୀ । କାଠି କଣ୍ଢେଇ ନାଚ କରୁଥିବା ଦେଶର ପ୍ରଥମ ଶିଳ୍ପୀ । ତାଙ୍କର କଣ୍ଢେଇ ନାଚ ଏତେ ଚିତାକର୍ଷକ ଯେ, ଯେଉଁଥିପାଇଁ ହଜାର ହଜାର ଦର୍ଶକଙ୍କୁ ସେ ବାନ୍ଧି ରଖିପାରନ୍ତି । ନିଜେ କାଠରେ କଣ୍ଢେଇ କରି କାଠି ମାଧ୍ୟମରେ ନୃତ୍ୟ ପରିବେଷଣ କରନ୍ତି । କେବଳ ଏତିକି ନୁହେଁ, ଦଶ ଆଙ୍ଗୁଠିରେ ଏକାଥରକେ ୧୦ଟି କଣ୍ଢେଇକୁ ନଚେଇ ପାରିବାର ପାରଦର୍ଶିତା ହାସଲ କରିଛନ୍ତି ମାଗୁଣି ।

ମାଗୁଣିଙ୍କ ପାଖରେ ଏବେ ୬୦୦ରୁ ଅଧିକ କଣ୍ଢେଇ ରହିଛି । ଦେଶର ବିଭିନ୍ନ ରାଜ୍ୟରେ କଣ୍ଢେଇ ନୃତ୍ୟ ପରିବେଷଣ କରି ମାଗୁଣି ବେଶ୍ ପ୍ରଂଶସା ସାଉଁଟିଛନ୍ତି । ଯେଉଁଥିପାଇଁ ତାଙ୍କୁ ଓଡିଶା ନାଟ୍ୟ ଏକାଡେମି ଏବଂ କେନ୍ଦ୍ର ନାଟକ ଏକାଡେମି ପକ୍ଷରୁ ପୁରସ୍କୃତ କରାଯାଇଛି । ରାଜ୍ୟପାଳଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ମଧ୍ୟ ମାଗୁଣିଙ୍କୁ ଦୁଇ ଦୁଇ ଥର ପୁରସ୍କୃତ କରିଛନ୍ତି । ୮୩ ବର୍ଷୀୟ ଏହି କଳାକାର ବୟସର ଅପରାହ୍ନରେ ହଜିଯାଉଥିବା ଏହି ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଅହରହ ଉଦ୍ୟମ ଜାରି ରଖିଛନ୍ତି ।

ମାନପତ୍ର ଓ ପୁରସ୍କାରରେ ଘରର ବାକ୍ସ ସିନା ଭର୍ତ୍ତି ହୋଇଯାଇଛି, ହେଲେ ପ୍ରକୃତ ସମ୍ମାନ ପାଇବାରୁ ବଞ୍ଚିତ ରହିଛନ୍ତି ଜାତୀୟ ସ୍ତରୀୟ କଳାକାର । ଉପଯୁକ୍ତ ସମ୍ମାନ ମିଳୁନଥିବାରୁ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଉଥିବା ୧୨ ଶହ ଟଙ୍କା କଳାକାର ଭତାକୁ ପ୍ରତ୍ୟାଖାନ କରିଛନ୍ତି ମାଗୁଣି କୁଅଁର । ଅନ୍ୟଶ୍ରେଣୀର କଳାକାରମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଉଥିବା କଳାକାର ପେନସନ୍ ୪,୫୦୦ ଟଙ୍କା ପାଉଥିବା ବେଳେ, ମାଗୁଣି ଏଥିରୁ ବଞ୍ଚିତ ରହିଥିବାରୁ ଅଭିମାନ କରି ରାଜ୍ୟ ସରକାରଙ୍କ ଭତାକୁ ପ୍ରତ୍ୟାଖାନ କରିଥିବା କହିଛନ୍ତି ।

କେବଳ ଏତିକି ନୁହେଁ, ବିଲୁପ୍ତ ହେବାକୁ ଯାଉଥିବା ଏହି ଅନନ୍ୟ କଳାକୁ ବଞ୍ଚାଇ ରଖିବାକୁ ରାଜ୍ୟ କିମ୍ବା କେନ୍ଦ୍ର ସରକାର କୌଣସି ପ୍ରୋତ୍ସାହନ ଦେଉନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି । ଦୀର୍ଘ ୭୦ ବର୍ଷ ହେବ ଏହି କଳାକୁ ବଞ୍ଚାଇ ରଖିବାକୁ ବହୁ ପରିଶ୍ରମ କରିଛନ୍ତି ମାଗୁଣି କୁଅଁର । ଅର୍ଥ ଅଭାବରୁ ଘରର ଆସବାବ ପତ୍ରଠୁ ଆରମ୍ଭ କରି ପତ୍ନୀଙ୍କ ସୁନାଗହଣା ମଧ୍ୟ ବିକ୍ରି କରିବାକୁ ପଡିଛି । ଏହା ପରେ ମଧ୍ୟ ବୟସର ଅପରାହ୍ନରେ ଏବେ ନିଜ ପୁଅ ଉପରେ ନିର୍ଭରଶୀଳ ହୋଇପଡିଛନ୍ତି ମାଗୁଣି । ସେପଟେ ମାଗୁଣି କିପରି ସମସ୍ତ ସୁବିଧା ସୁଯୋଗ ପାଇପାରିବେ, ସେନେଇ ତୁରନ୍ତ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ।