ସମାଜସେବୀ ଓ ଗାୟିକା ମୀନାକ୍ଷୀ ଧରଙ୍କ ପରଲୋକ : ଚିକିତ୍ସାଧୀନ ଅବସ୍ଥାରେ ୫୨ବର୍ଷ ବୟସରେ ପରଲୋକ

393

କନକ ବ୍ୟୁରୋ : ରାଉରକେଲାର ସୁପରିଚିତ ମଂଚ ଉପସ୍ଥାପିକା, ସୁସଂଗଠିକା, ସମାଜସେବୀ ଓ ଗାୟିକା ମିନାକ୍ଷୀ ଧରଙ୍କ ୫୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ପ୍ରାୟ ୯ ଦିନ ଧରି ସେ ହସ୍ପିଟାଲରେ ଚିକିତ୍ସତ ହେଉଥିଲେ । ଅଭାବନୀୟ କଥାଟି ହେଉଛି, ଗତ ୧୨ ତାରିଖରେ ନିଜ ସ୍କୁଟିରେ ଘରକୁ ଫେରିବା ସମୟରେ କୋଏଲ ନଗର ନିକଟରେ ୨ ଜଣ ଲୁଟେରା ତାଙ୍କ ଭ୍ୟାନିଟି ବ୍ୟାଗକୁ ଝାମ୍ପି ନେଇଥିଲେ । ସ୍କୁଟି ଚଳାଉଥିବା ସମୟରେ ଭାରସାମ୍ୟ ହରାଇ ସେ ରାସ୍ତାରେ ପଡି ଯାଇଥିଲେ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ପ୍ରଥମେ ତାଙ୍କୁ ଆଇଜିଏଚ ଓ ପରେ ଅବସ୍ଥା ସଂକଟାପନ୍ନ ହେବାରୁ ବେଦବ୍ୟାସସ୍ଥିତ ଜୟପ୍ରକାଶ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ମସ୍ତିଷ୍କରେ ଅସ୍ତ୍ରୋପଚାର ପରେ ଭେଂଟିଲେଟରରେ ରଖାଯାଇଥିଲା । ଶୁଭେଚ୍ଛୁଙ୍କ ଅନେକ ପ୍ରାର୍ଥନା ସତ୍ୱେ ତାଙ୍କ ଜୀବନ ବଂଚାଇବା ସମ୍ଭବ ହୋଇପାରିନଥିଲା ।

ମିନାକ୍ଷୀ ଗତ ୧୯୬୯ ଅକ୍ଟୋବର ୨୬ରେ ଦେବଗଡରେ ଜନ୍ମ ଗ୍ରହଣ କରିଥିଲେ। ଦେବଗଡ ଜିଲ୍ଲାରେ ବିଏ ପାସ୍ କରିଥିଲେ । ୧୯୯୩ରେ ସମ୍ବଲପୁରର ନଳିନୀକାନ୍ତ ଧରଙ୍କୁ ବିବାହ କରିଥିଲେ। ସ୍ବାମୀଙ୍କ ନଳିନୀଙ୍କ ସହ ରାଉରକେଲାରେ ରହୁଥିଲେ । ତାଙ୍କ ମୃତ୍ୟୁରେ ସହରର ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ମିନାକ୍ଷୀ ଧର କେବଳ ଜଣେ ଭଲ ଉପସ୍ଥାପିତା ଥିଲେ ତା ନୁହେଁ, ଭଲ ସୁସଙ୍ଗଠନିକା ମଧ୍ୟ ଥିଲେ। ସହରର ପ୍ରତ୍ୟେକ ସାଂସ୍କୃତିକ କାର୍ଯ୍ୟକ୍ରମରେ ତାଙ୍କର ଉପସ୍ଥିତି ରହିଥିଲା । ସହରରେ ପ୍ରତ୍ୟେକ ଅନୁଷ୍ଠାନ ସହିତ ସେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡିଥିଲେ।

ଗତ ୨ ଏପ୍ରିଲ ସ୍ଥାନୀୟ ସିଭିକ୍ ସେଣ୍ଟରରେ ଉତ୍କଳ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ‘ଗରିମା’ ଥିଲା ତାଙ୍କର ଶେଷ କାର୍ଯ୍ୟକ୍ରମ। କେବଳ ରାଉରକେଲା ନୁହେଁ ପଶ୍ଚିମ ଓଡ଼ିଶାର ଜଣେ ଜଣାଶୁଣା ଉପସ୍ଥାପିକା ଭାବେ ବେଶ୍ ପରିଚିତ ଥିଲେ। ନାରୀମାନଙ୍କୁ ଆଗକୁ ବଢ଼ିବା ଓ ସେମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଆଗକୁ ଆଣିବାକୁ ସେ ନିଜେ ଗଠନ କରିଥିଲେ ମହିଳା ସଙ୍ଗଠନ ‘ମମତା’ । ସେ ସହରର ପ୍ରତିଷ୍ଠିତ ଅନୁଷ୍ଠାନ ଆଦର୍ଶ ପାଠାଗାରର ଉପସଭାନେତ୍ରୀ ଥିଲେ । ଏଥିସହ ଉତ୍କଳ ସାଂସ୍କୃତିକ ପରିଷଦ, ରାଉରକେଲା କଳାକାର ଆସୋସିଏସନ୍, ଓଡ଼ିଶା ମ୍ୟୁଜିକ୍ ଆର୍ଟିଷ୍ଟ ୱେଲଫେୟାର ଆସୋସିଏସନ୍, ଆସ୍ଥା, ୟୁଥ ଭାଇବ୍ରେସନ୍, ୟୁଥ ମୁମ୍ଭେମେଣ୍ଟ ଫେଡେରେସନ୍ ଅଫ୍ ଇଣ୍ଡିଆ ସମେତ ସହରର ଶତାଧିକ ସାଂସ୍କୃତିକ ଓ ସାମାଜିକ ସଙ୍ଗଠନର ଜଣେ ସକ୍ରିୟ ସଦସ୍ୟା ଥିଲେ ।

ସହରର ପ୍ରତ୍ୟେକ ରାଜନୈତିକ, ସାମାଜିକ, ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥାପନା କରିବାକୁ ତାଙ୍କୁ ଖୋଜାପଡିଥାଏ । ତାଙ୍କର ଗୀତ, ଉପସ୍ଥାପନା ଶୈଳୀ ସେ କେବଳ ରାଉରକେଲା ନୁହେଁ ରାଜ୍ୟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ । ରାଉରକେଲା, ସୁନ୍ଦରଗଡ ସମେତ ରାଜ୍ୟ ଏବଂ ରାଜ୍ୟ ବାହାରୁ ଅନେକ ପୁରସ୍କାର, ସମ୍ମାନ ସାଉଣ୍ଟିଥିଲେ। ସ୍ବର୍ଗତ ମିନାକ୍ଷୀ ଧର ରାଉରକେଲା ଶକ୍ତିନଗରରେ ସ୍ବାମୀ ନଳିନୀକାନ୍ତ ଓ ଦୁଇ ଝିଅ ପୁଜା ଓ ପ୍ରାଚୀଙ୍କ ସହ ରହୁଥିଲେ ।