କନକ ବ୍ୟୁରୋ : ଆଇପିଏଲ ମହାନିଲାମୀ ଚାଲିଥିବା ବେଳେ ନିଲାମୀ ପ୍ରକ୍ରିୟାର କିଛି ଘଣ୍ଟା ମଧ୍ୟରେ ଅକ୍ସନର ହ୍ୟୁଜ୍ ଏଡମିଡସ ନିମ୍ନ ରକ୍ତଚାପ କାରଣରୁ ତଳେ ପଡି ଯାଇଥିଲେ । ଆଉ ଏହାପରେ ତାଙ୍କୁ ତୁରନ୍ତ ଜରୁରୀକାଳୀନ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଉ ହ୍ୟୁଜ୍ ଅସୁସ୍ଥ ହେବା ପରେ ମହାନିଲାମୀକୁ କିଛି ସମୟ ପାଇଁ ବନ୍ଦ କରାଯାଇଥିଲା । ପରେ ହ୍ୟୁଜ୍ ସୁସ୍ଥ ହୋଇଥିଲେ ମଧ୍ୟ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ତାଙ୍କୁ ଆରାମ ଦେବାକୁ ନିଷ୍ପତ୍ତି ନେଇଥିଲା । ତେବେ ହ୍ୟୁଜଙ୍କ ବଦଳରେ କିଏ ଏତେ କମ ସମୟ ମଧ୍ୟରେ ଆଇପିଏଲ ମହାନିଲାମୀକୁ ଜାରି ରଖିବ ତାହା ଆଇପିଏଲ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା । ଆଉ ଏଭଳି ସଙ୍କଟ ସମୟରେ ସଙ୍କଟମୋଚକ ସାଜି ଉଭା ହୋଇଥିଲେ ଚାରୁ ଶର୍ମା ।

Advertisment

ଟିଭି ଉପସ୍ଥାପକ ତଥା ମଶାଲ ସ୍ପୋଟର୍ସର କୋ-ଫାଉଣ୍ଡର ଚାରୁ ଶର୍ମା କ୍ରିକେଟ ପାଇଁ କୌଣସି ନୂଆ ଚେହେରା ନୁହେଁ । ୯୦ ଦଶକରେ କ୍ରିକେଟ ଫ୍ୟାନଙ୍କ ପାଇଁ ଚାରୁ ଶର୍ମା ଜଣେ ଚିହ୍ନା ଚେହେରା । କିନ୍ତୁ ଚାରୁ ଶର୍ମା ଯେ ମହାନିଲାମୀକୁ ସୂଚାରୁ ରୂପେ ତୁଲାଇ ପାରିବେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ତଥାପି ଚାରୁ ଶର୍ମାଙ୍କ ଉପରେ ଭରସା କରିଥିଲେ ଆଇପିଏଲ ଗଭର୍ଣ୍ଣି କାଉନସିଲ । ମାତ୍ର ଘଣ୍ଟାଏ ନୋଟିସ ମଧ୍ୟରେ ଆଇପିଏଲ ମହାନିଲାମୀରେ ସାମିଲ ହୋଇଥିଲେ ଚାରୁ । ସେହି ସମୟରେ ଚାରୁ ବାଙ୍ଗାଲୋରରେ ହିଁ ଥିଲେ । ଯେହେତୁ ତାଙ୍କ କମ୍ପାନି ପ୍ରୋ କବାଡି ଲିଗର ଆୟୋଜନ କରୁଛି ଏବଂ ପ୍ରୋ କବାଡି ଲିଗ୍ ବାଙ୍ଗାଲୋରରେ ଆୟୋଜନ ହେଉଛି । ତେଣୁ ଖୁବ କମ ସମୟ ମଧ୍ୟରେ ଚାରୁଙ୍କ ଠାରୁ ଭଲ ବିକଳ୍ପ ଆଉ କେହି ନଥିଲେ । ଆଉ ଚାରୁ ମଧ୍ୟ ମିଳିଥିବା ଏହି ସୁଯୋଗକୁ ସଠିକ୍ ପ୍ରମାଣିତ କରିଥିଲେ ।

କ୍ରିକେଟକୁ ନେଇ ଥିବା ଅନୁଭବ ଚାରୁଙ୍କ ପାଇଁ ଏହି ମହାନିଲାମୀକୁ ସହଜ କରିଥିଲା । ହ୍ୟୁଜଙ୍କର ଅନୁପସ୍ଥିତିରେ ମହାନିଲାମୀ ପ୍ରକ୍ରିୟାକୁ ଏତେ ସହଜ ଢଙ୍ଗରେ ଆଗେଇ ନେଇ ଫ୍ରାଞ୍ଚାଇଜ ମାନଙ୍କ ମନ ଜିଣିଥିଲେ ଚାରୁ । ଯେଉଁଥିପାଇଁ ମହାନିଲାମୀର ପ୍ରଥମ ଦିନ ଶେଷ ହେବା ପୂର୍ବରୁ ଚାରୁଙ୍କୁ ଧନ୍ୟବାଦ ଜଣାଇଥିଲେ ଫ୍ରାଞ୍ଚାଇଜ । ଏପରିକି କମ ସମୟ ମଧ୍ୟରେ ଚାରୁ ଏଭଳି ଏକ କଠିନ କାମ ପାଇଁ ହଁ କରିବା ଓ ଏଥିରେ ସାମିଲ ହୋଇଥିବାରୁ ଆଇପିଏଲ ଗଭର୍ଣ୍ଣି କାଉନସିଲ ଚେୟାରମ୍ୟାନ୍ ବ୍ରଜେଟ ପଟେଲ ଧନ୍ୟବାଦ ଜଣାଇଥିଲେ ।