Advertisment

କନକ ବ୍ୟୁରୋ : ବିଦ୍ୟାଳୟ, ଦେବାଳୟ ଭଳି ପବିତ୍ର ସ୍ଥାନ ଠାରୁ ୧୦୦ ରୁ ୫୦୦ ମିଟର ଦୂରରେ ମଦ ଦୋକାନ ରହିବ ନାହିଁ । ହେଲେ ବ୍ରହ୍ମପୁରରେ ଏହି ନିୟମ ପାଳନ ହେବା ତ ଦୂରର କଥା ଠିପି ବନ୍ଦ ଦୋକାନରେ ବେଆଇନ ମଦ୍ୟପାନ ବ୍ୟବସ୍ଥା କରିଛନ୍ତି ଅସାଧୁ ବ୍ୟବସାୟୀ । ଠିପି ବନ୍ଦ ଦୋକାନରେ ମଦ୍ୟପାନ ଲାଗି ପରିମିଟ ରୁମ ବାବଦକୁ ୧ ଲକ୍ଷ ଟଙ୍କା ସ୍ୱତନ୍ତ୍ର ଟିକସ ବ୍ୟବସ୍ଥା ରହିଥିଲଶ । ୨୦୧୬-୧୭ ଆର୍ଥିକ ବର୍ଷରେ ସରକାର ଏହାକୁ ପ୍ରତ୍ୟାହୃତ କରିଦେଲେ । କିନ୍ତୁ ଏବେ ବି ବିନା ପରମିଟରେ ପରମିଟ୍ ରୁମକୁ ବେଆଇନ ଭାବେ ଚଳାଉଛନ୍ତି ବ୍ୟବସାୟୀ । ଦିନରେ ବି ମଦ୍ୟପଙ୍କ ଆଡ୍ଡା ଜମୁଛି । ପରୋକ୍ଷରେ ଯୁବପିଢିଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ ହୋଇଛି ।

ବ୍ରହ୍ମପୁର ଅବକାରୀ ଜିଲ୍ଲାରେ ସରକାରଙ୍କ ସ୍ୱୀକୃତି ପ୍ରାପ୍ତ ୨୬ ଟି ଭାଟିରୁ ୨୪ଟି ଚାଲୁ ରହିଛି । ୧୩୪ ଟି ଶାଖା ଭାଟି, ଗୋଟିଏ ଭାଙ୍ଗ ଦୋକାନ ଓ ଗୋଟିଏ ତାଡି ଦୋକାନ ରହିଛି । ଅନ୍ୟପଟେ ଦୁଇଟି କ୍ଲବକୁ ମିଶାଇ ୪୧ ଟି ବାର୍ ରହିଛି । ୩୭ ଟି ଠିପି ବନ୍ଦ ଦୋକାନରୁ ୨୬ ଟି ଚାଲୁ ରହିଛି । ବିଭିନ୍ନ କାରଣ ପାଇଁ ୧୧ ଟି ଠିପି ବନ୍ଦ ମଦ ଦୋକାନକୁ ୪ ମାସ ହେଲା ସିଲ କରିଦେଇଛି ଜିଲ୍ଲା ପ୍ରଶାସନ । ବିନା ପରମିଟରେ ପରମିଟ ରୁମ୍ ଚାଲିବା ଭଳି ସମସ୍ତ ବେଆଇନ କାରବାର ପଛରେ ଅସାଧୁ ମଦ ବ୍ୟବସାୟୀଙ୍କ ସହ ଅବକାରୀ ବିଭାଗର କିଛି ଅସାଧୁ କର୍ମଚାରୀ ଓ ଜିଲ୍ଲା ପ୍ରଶାସନର ମଧୁଚନ୍ଦ୍ରିକା ଥିବା ଅଭିଯୋଗ କରିଛନ୍ତି ଆଇନଜୀବୀ । ଯାଂଚ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅବକାରୀ ଅଧିକ୍ଷକ ।

ଗଞ୍ଜାମରେ ମଦମୃତ୍ୟୁ କିଛି ନୂଆ କଥା ନୁହେଁ । ବିଗତ ଦିନରେ ହୋଇଥିବା ମଦମୃତ୍ୟୁ ମାମଲା ଏବେ ବି କୋର୍ଟରେ ବିଚାରଧୀନ ରହିଛି ।