ଫକୀର ମୋହନ ମେଡିକାଲ କଲେଜରେ ଧାଡିରେ ପ୍ରେସକ୍ରିପସନ। ଡାକ୍ତରଙ୍କ ଅପେକ୍ଷାରେ ଚାମ୍ବର ଆଗରେ ଲମ୍ବା ଧାଡି।

153

କନକ ବ୍ୟୁରୋ : ସମୟ ସକାଳ ୮ଟାରୁ ସାଢେ ୮ଟା । ସ୍ଥାନ- ବାଲେଶ୍ୱର ମେଡିକାଲ କଲେଜ ଓ ହସପିଟାଲ । ଚର୍ମରୋଗ ବିଭାଗର ଓପିଡିରେ ତାଲା ପଡିଛି । ଓପିଡି ବାହାରେ ଧାଡିରେ ଅଛନ୍ତି ପ୍ରେସକ୍ରିପସନ । ମଣିଷ ବଦଳରେ ଏଠି ଲମ୍ବାଲାଇନରେ ଅଛନ୍ତି ରୋଗୀଙ୍କ ପ୍ରେସକ୍ରିପସନ । ଗୋଟିଏ କି ଦୁଇଟି ନୁହେଁ ଅନେକ ପ୍ରେସକ୍ରିପସନ ଏହିଭଳି ଧାଡିରେ ଅଛନ୍ତି । ଅପେକ୍ଷା ରହିଛି ଡାକ୍ତରଙ୍କ ଆସିବା ସମୟକୁ । ଡାକ୍ତରଙ୍କ ଆସିବା ସମୟ ୯ଟା ଥିବା ବେଳେ ସକାଳ ୫ଟାରୁ ଡାକ୍ତରଙ୍କ ଅପେକ୍ଷାରେ ରହୁଛନ୍ତି ରୋଗୀ । କେବଳ ଏହି ଗୋଟିଏ ବିଭାଗ ନୁହେଁ । ଅସ୍ତିଶଲ୍ୟ ବିଭାଗର ଓପିଡି ବାହାର ଚିତ୍ର ବି ସମାନ । ଏଠିକାର ଚିତ୍ର ତାଠାରୁ ବଳିଯାଇଛି । ପ୍ରେସକ୍ରିପସନ, ବ୍ୟାଗ, ହେଲମେଟ ବି ଲାଇନରେ ଅଛନ୍ତି । ଡାକ୍ତରଙ୍କୁ ଦେଖେଇବା ପାଇଁ ଏମାନେ ଅପେକ୍ଷା କରଛନ୍ତି । ଦୁର୍ଭାଗ୍ୟବଶତଃ ଯଦି ପ୍ରେସକ୍ରିପସନ ଉଡିଗଲା ସେହି ଧାଡିରୁ ନାଁ ହଟିଗଲା । ପୁଣି ଅପେକ୍ଷା ଧାଡି ଶେଷ ହେବାକୁ । ଜିଲ୍ଲା ମୁଖ୍ୟାଳୟର ଚିତ୍ର ଯଦି ଏହି ଭଳି ତେବେ ଉପାନ୍ତ ଅଞ୍ଚଳର କଥା ପଚାରେ କିଏ ।

ବାଲେଶ୍ୱର ମେଡିକାଲ କଲେଜରେ ଏଭଳି ଚିତ୍ର ଆଜିର ନୁହେଁ । ଲଗାତର ଭାବେ ଏଭଳି ଘଟଣା ସାମ୍ନାକୁ ଆସୁଛି । କେଉଁଠି ଡାକ୍ତରଙ୍କ ଅଭାବ ତ ଆଉ କେଉଁଠି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା । ମୌଳିକ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ସାଧାରଣ ଜନତା । ଡାକ୍ତର ମଧ୍ୟ ଠିକ ସମୟରେ ଆସୁନଥିବା ଅଭିଯୋଗ ହୋଇଛି । ରାଜ୍ୟ ତଥା ରାଜ୍ୟବାହାର ଲୋକ ଏହା ଉପରେ ନିର୍ଭର କରୁଥିଲେ ବି ସେମାନେ ଚିକିତ୍ସାସେବା ପାଇପାରୁନାହାନ୍ତି । ବାଲେଶ୍ୱର ମେଡିକାଲ କଲେଜର ଏହି ସବୁ ଚିତ୍ର ବୟାନ କରୁଛି ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ସ୍ଥିତି କଣ । ଡାକ୍ତରଙ୍କ ଗୋଟିଏ ଦର୍ଶନ ପାଇଁ ରାତିଅଧରୁ ଆସି ରୋଗୀଙ୍କୁ ଅପେକ୍ଷା କରିବାକୁ ପଡୁଛି । ରୋଗୀ ନିଜେ ଆସି ବାରଣ୍ଡାରେ ବସିରହୁଛନ୍ତି । କିନ୍ତୁ ବେଳେ ବେଳେ ଡାକ୍ତରଙ୍କ ଦେଖା ମିଳୁନଥିବା ନେଇ ଅଭିଯୋଗ ହୋଇଛି । ଶୀତକାକରରେ ସକାଳୁ ଆସି ଏଠି ଲମ୍ବା ଲାଇନରେ ଛିଡା ହେବା ମେଡିକାଲ ପ୍ରଶାସନିକ ଦକ୍ଷତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ପ୍ରଶ୍ନ ଉଠୁଛି

କାହିଁକି ମେଡିକାଲରେ ଉପୁଜୁଛି ଏହି ସ୍ଥିତି?

ଡାକ୍ତରଙ୍କ ଅଭାବ ସମସ୍ୟାର କାହିଁକି ହେଉନାହିଁ ସମାଧାନ?

ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି । ବିଭିନ୍ନ ଯୋଜନାରେ ଲୋକଙ୍କ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି ସତ କିନ୍ତୁ ଏହାର ସୁଫଳ ରୋଗୀ ପାଉନାହାନ୍ତି । ନିକଟରେ ଭୁବନେଶ୍ୱର ଏମ୍ସରେ ମଧ୍ୟ ଏଭଳି ସମସ୍ୟା ଆଉ ବାଲେଶ୍ୱରରେ ମଧ୍ୟ ସମାନ ସମସ୍ୟା ଦେଖାଦେଇଛି । ତେବେ ବାଲେଶ୍ୱର ମେଡିକାଲ କଲେଜ କର୍ତ୍ତୃପକ୍ଷ ଏଥିପାଇଁ ଶୀଘ୍ର ପଦକ୍ଷେପ ନେବା ଦରକାର ।