ବାତ୍ୟା ଆସୁଛି…! ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ, ଏସଆରସି କହିଲେ ପ୍ରଶାସନର ନିର୍ଦ୍ଦେଶ ମାତ୍ରେ ବାତ୍ୟା ଆଶ୍ରୟସ୍ଥଳୀକୁ ଆସନ୍ତୁ ଲୋକେ ।

231

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଯାହା ଆସନ୍ତା ୨୪ ତାରିଖରେ ବାତ୍ୟାର ରୂପ ନେଇପାରେ ଏବଂ ୨୬ରେ ଏହା ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ଏନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେବା ପରେ ବାତ୍ୟାର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛି ଓଡ଼ିଶା ।

ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି, ଓଡ଼ିଶାର ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଫେରାଇ ଅଣା ଯାଇଛି । କୌଣସି ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟରେ ନାହାନ୍ତି । କୃଷି ଜାତ ଦ୍ରବ୍ୟକୁ ଜମିରୁ ଫେରାଇ ଆଣିବାକୁ କୃଷକ ମାନଙ୍କୁ କୁହାଯାଇଛି । ଲୋକଙ୍କୁ ସ୍ଥାନାନ୍ତରିତ,ବାତ୍ୟା ଆଶ୍ରୟ ସ୍ଥଳି ପରିଚାଳନା ଓ ପୁନରୁଦ୍ଧାର ପାଇଁ ବଡ଼ ବଡ଼ ଏନଜିଓ ମାନଙ୍କ ସହଯୋଗ ଲୋଡ଼ା ଯାଇଛି । ଅକ୍ସିଜେନ ଯୋଗାଣର ଯେପରି ସମସ୍ୟା ନହୁଏ ସେଥିପାଇଁ ଶିଳ୍ପ ବିଭାଗ ବିଭିନ୍ନ ସଂସ୍ଥା ଗୁଡିକ ସହ ଆଲୋଚନା କରିଛନ୍ତି ।ଅକ୍ସିଜେନ ଉତ୍ପାଦନ ଓ ରିଫିଲିଂ ପାଇଁ ଯେପରି କୌଣସି ଅସୁବିଧା ନ ହେବ ସେଥିପାଇଁ ଶିଳ୍ପ ବିଭାଗ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି ।

ଜିଲ୍ଲା କୋଭିଡ କେୟାର ସେଣ୍ଟର ଓ ଜିଲ୍ଲା କୋଭିଡ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ସିଲିଣ୍ଡର ମହଜୁଦ ରଖିବା ପାଇଁ ନିର୍ଦେଶ ଦିଆଯାଇଛି । ଏହାବାଦ ପାନୀୟ ଜଳ ଓ ଜେନେରେଟର ରଖିବା ପାଇଁ କୁହାଯାଇଛି । ପ୍ରସୂତି ମହିଳା ମାନେ ବାତ୍ୟା ଆଶ୍ରୟ ସ୍ଥଳକୁ ନଯାଇ ସିଧା ହସ୍ପିଟାଲ ଆସିବାକୁ କୁହାଯାଇଛି । ଜିଲ୍ଲା ପ୍ରଶାସନର ସୂଚନା ମିଳିବା କ୍ଷଣି ଘର ଛାଡ଼ି ବାତ୍ୟା ଆଶ୍ରୟସ୍ଥଳୀକୁ ଆସିବାକୁ କୁହାଯାଇଛି ।