ବ୍ରଜରାଜନଗର ଉପନିର୍ବାଚନ ପାଇଁ ବଢୁଛି ତାତି: ଗଡ ହାତେଇବାକୁ ଚାଲିଛି ଅଙ୍କକଷା

80

କନକ ବ୍ୟୁରୋ: ବ୍ରଜରାଜନଗର ଉପନିର୍ବାଚନ ତାତି ବଢିବାରେ ଲାଗିଛି । ବିଧିବଦ୍ଧ ଭାବେ ତିନି ଦଳ ପ୍ରଚାର ଆରମ୍ଭ କରି ନାହାନ୍ତି । ପ୍ରଚାର ମୈଦାନକୁ ଓହ୍ଲାଇବା ପୂର୍ବରୁ ରାଜନୈତିକ ଦଳଗୁଡିକ, କର୍ମୀ ସମ୍ମିଳନୀ କରି କର୍ମୀଙ୍କୁ ଏକଜୁଟ କରିବା ସହ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି । ୨୦୨୪ ନିର୍ବାଚନ ପୂର୍ବରୁ ଏହି ଉପନିର୍ବାଚନ ତିନି ପ୍ରମୁଖ ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି ।

ବ୍ରଜରାଜନଗର ଉପନିର୍ବାଚନ ତାତି ଦିନକୁ ଦିନ ବଢିବାରେ । ବିଜୁ ଜନତା ଦଳ ସ୍ଥାନେ ସ୍ଥାନ ସଭା ସମିତି କରି ଲୋକଙ୍କ ନିକଟତର ହେଉଛି । ଲଖନପୁର ବ୍ଲକରେ କର୍ମୀ ସମ୍ମିଳନୀ ଆୟୋଜନ କରି ବିଧାୟକ ପ୍ରାର୍ଥୀ ଅଳକା ମହାନ୍ତିଙ୍କ ପ୍ରଚାର ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ଓ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ସୁବାସ ସିଂ ସାମିଲ ହୋଇ କର୍ମୀଙ୍କ ଉତ୍ସାହ ବଢାଇଛନ୍ତି । ପଂଚାୟତ ଓ ପୌର ନିର୍ବାଚନର ସଫଳତା ଦୋହରାଇବାକୁ ଦଳ ଲକ୍ଷ୍ୟ ରଖିଛି ।

ବ୍ରଜରାଜନଗରରେ ବିଜେପି କର୍ମୀ ସମ୍ମିଳନୀ କରି ବିଧାୟକ ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ପ୍ରଚାର ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଓ ରାଜ୍ୟ ସଭାପତି ସମୀର ମହାନ୍ତି ଦଳୀୟ କର୍ମୀଙ୍କୁ ଉପନିର୍ବାଚନ ବିଜୟ ମନ୍ତ୍ର ଦେଇଛନ୍ତି । ବ୍ରଜରାଜନଗର ବାସିନ୍ଦା ଏଥର ବିଜେପିକୁ ବାଛିବାକୁ ମନସ୍ଥ କରିଛନ୍ତି, ତେଣୁ ବିଜେପି ସହ ଅନ୍ୟ ଦଳ ଲଢିବ ବୋଲି କହିଛନ୍ତି ରାଜ୍ୟ ସଭାପତି ।

ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପି ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରିଛି । ବିଜେପିର ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂହ ୪୦ଜଣିଆ ପ୍ରଚାର ତାଲିକା ଘୋଷଣା କରିଛନ୍ତି । ତାଲିକାରେ ୫ଜଣ କେନ୍ଦ୍ରମନ୍ତ୍ରୀ ରହିଛନ୍ତି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ପୀୟୁଷ ଗୋୟଲ, ବିଶ୍ୱେଶର ଟୁଡୁ, ପ୍ରହ୍ନାଦ ଯୋଶୀ ପ୍ରଚାର ତାଲିକାରେ ରହିଛନ୍ତି । ତେବେ ଆଶ୍ଚର୍ଯ୍ୟଜନକ ଭାବେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ନାଁ ଷ୍ଟାର କ୍ୟାମ୍ପେନ ତାଲିକାରୁ ବାଦ୍ ପଡିଛି ।

ସେପଟେ ୨୦୧୯ ନିର୍ବାଚନରେ ବ୍ରଜରାଜନଗର ଆସନରେ ପ୍ରାର୍ଥୀ ଦେଇନଥିବା କଂଗ୍ରେସ ଏଥର ପଛରେ ପଡିନାହିଁ । ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ସମର୍ଥକଙ୍କ ସହ ଗାଁକୁ ଗାଁ ଯାଇ ବୈଠକ କରି ସମର୍ଥନ ଯୋଗାଡ କରୁଛନ୍ତି । କଂଗ୍ରେସ ବିଧାୟକ ପ୍ରାର୍ଥୀ କିଶୋର ପଟେଲ କିଛି ସମର୍ଥକଙ୍କ ସହ ବୁଲି ବୁଲି ଲୋକଙ୍କ ପାଖକୁ ଯାଉଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ହେଉଥିବା ବ୍ରଜରାଜନଗର ଉପନିର୍ବାଚନ ସମସ୍ତ ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି ।